ଭାଇକୁ ଆକ୍ରମଣ କରି ଭଉଣୀକୁ ଅପହରଣ, ଆଉ ତା’ପରେ…

ଜୟପୁର: ଅଧରାତିରେ ଆକ୍ରମଣ ଓ ଅପହରଣ । ଦୁର୍ବୃତ୍ତ ପ୍ରଥମେ ଭାଇକୁ ଆକ୍ରମଣ କରି ଭଉଣୀକୁ ଅପହରଣ କରିନେଲେ । ଆଉ ତାପରେ ନିଛାଟିଆ ଜଙ୍ଗଲକୁ ନେଇ ଦୁଷ୍କର୍ମ ଉଦ୍ୟମ । ହେଲେ ଉପସ୍ଥିତ ବୁଦ୍ଧି ଖଟାଇ ଦୁର୍ବୃତ୍ତଙ୍କୁ ଚକମା ଦେଇ ଖସିଆସିଲେ ଯୁବତୀ । ଭାଇର ଅଭିଯୋଗ ପରେ ଯୁବତୀଙ୍କୁ ଉଦ୍ଧାର କରି ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏପରି ଘଟଣା ଘଟିଛି ଜୟପୁର ସହରରେ ।

ଗତକାଲି ରାତିରେ ଛତିଶଗଡ଼ରୁ ରାତିରେ ଭାଇ ଭଉଣୀ ଏକ ଅଟୋ ଯୋଗେ ଜଗଦଲପୁରରୁ ଆସିଥିଲେ । ଜୟପୁରରୁ ବିଶାଖାପାଟଣା ଯିବାର ଥିଲା । ହେଲେ ବସ୍ ନମିଳିବାରୁ ରାତିରେ ରହିବାକୁ ହୋଟେଲ ଖୋଜିଥିଲେ । କିନ୍ତୁ, ପାଖରେ ଆଧାର କାର୍ଡ ନଥିବାରୁ ରୁମ୍ ମିଳିଲା ନାହିଁ । ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏମାନଙ୍କୁ ହୋଟେଲ ଯୋଗାଇ ଦେବାକୁ କହି ଫସାଇଥିଲେ । ହେଲେ ଭାଇଭଉଣୀଙ୍କ ସନ୍ଦେହ ହେବାରୁ ସେମାନେ ଚାଲିଯିବାକୁ ଉଦ୍ୟମ କରିଥିଲେ ।

ଏତିକିବେଳେ ଭାଇକୁ ଆକ୍ରମଣ କରି ଭଉଣୀକୁ ଏକ କାରରେ ଅପହରଣ କରି ନେଇଥିଲେ ୨ ଦୁର୍ବୃତ୍ତ । ପରେ ଜୟନଗର ପାଖରେ ଥିବା ନିଛାଟିଆ ଜଙ୍ଗଲକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ, ଭାଇର ଅଭିଯୋଗ ଆଧାରରେ ଠିକ୍ ସମୟରେ ସେଠାରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ୨ ଦୁର୍ବୃତ୍ତଙ୍କୁ କାବୁ କରିଛି ପୋଲିସ୍ ।

Leave a Reply