ଅପହରଣ କରି ନେଇଥିଲେ, ସକାଳୁ ଥାନା ସାମନାରେ ଫୋପାଡି ଦେଇଗଲେ ମୃତଦେହ

ସମ୍ବଲପୁର: ଅପରାଧୀଙ୍କ କବଳରେ ବୁର୍ଲା ସହର । ଯୁବକଙ୍କୁ ଅପହରଣ ପରେ ନିର୍ମମ ହତ୍ୟା । ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ । ଆଜି ସକାଳୁ ବୁର୍ଲା ଥାନା ସମ୍ମୁଖରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ଥିବା ବେଳେ ଡାହଣ ଗୋଡ଼ର ସବୁ ନଖ ଓପାଡ଼ି ଦିଆଯାଇଥିବା ଦେଖାଯାଇଛି ।

ସକାଳ ୮ଟା ବେଳେ ଏକ ଲାଲ ରଙ୍ଗର ଗାଡ଼ିରେ ଦୁର୍ବୃତ୍ତମାନେ ଆସି ଯୁବକଙ୍କ ମୃତଦେହ ଫିଙ୍ଗି ଦେଇଥିଲେ । ସ୍ପଷ୍ଟ ଦିବାଲୋକରେ ଥାନା ଆଗରେ ରକ୍ତାକ୍ତ ମୃତଦେହ ଫିଙ୍ଗି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ । ମୃତଦେହ ଫୋପାଡ଼ି ଦେବା ପରେ ସେଠାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ମୃତ ଯୁବକ ହେଲେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ନିକଟ ବସନ୍ତ ବିହାର ଅଞ୍ଚଳର ରାମ ମେହେର । ତେବେ ରାମଙ୍କୁ କିଏ ଅପହରଣ କରିଥିଲା ?

କେଉଁ କାରଣରୁ ତାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଗଲା ? ସେ ସମ୍ପର୍କରେ ଜଣାପଡ଼ି ନଥିବା ବେଳେ ପୋଲିସକୁ ଅପରାଧୀଙ୍କ ଭୟ ନଥିବାରୁ ଏଭଳି ଅପରାଧ ବଢୁଛି ବୋଲି ସହରରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ବୁର୍ଲା ସହରର ମୁଖ୍ୟ ଛକରେ ଗୋଟିଏ ହେଲେ ସିସିଟିଭି କ୍ୟାମେରା ଲଗାଯାଇନାହିଁ । ଯାହାକୁ ନେଇ ଜନଅସନ୍ତୋଷ ତୀବ୍ର ହେଉଛି ।