ଗୁଣି ଗାରେଡି ସନ୍ଦେହରେ ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲେ ହତ୍ୟାକାରୀ

ବାରିପଦା: ମୟୂରଭଞ୍ଜ ଉଦଳା ଖୁଣ୍ଟା ଥାନା ଅଞ୍ଚଳରେ ବ୍ୟକ୍ତିଙ୍କୁ ବୀଭତ୍ସ ହତ୍ୟାକାଣ୍ଡ । ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲେ ଦୁର୍ବୃତ୍ତ । ସାରଜମଡ଼ିହି ଗାଁର ଗୁରୁବାରୀ ସିଂ ଓ ତାଙ୍କ ପରିବାର ଲୋକେ ଗତକାଲି ଫୁଟବଲ ଖେଳ ଦେଖିବାକୁ ଯାଇଥିଲେ । ଏହି ସମୟରେ ଘରେ ଏକୁଟିଆ ରହିଥିଲେ ମୃତକ ଠୁଙ୍ଗୁରୁ ସିଂ । ପରିବାର ଲୋକ ଫେରିବା ପରେ ଘର ବାରଣ୍ଡାରେ ଠୁଙ୍ଗୁରୁଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ।

କେହି ଅତି ବୀଭତ୍ସ ଭାବେ ଠୁଙ୍ଗୁରୁଙ୍କୁ ହତ୍ୟା କରିଥିବା ବେଳେ ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏ ନେଇ ଖୁଣ୍ଟା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଗୁଣି ଗାରେଡି ସନ୍ଦେହରେ ପୂର୍ବରୁ ପୁତୁରା ସହିତ ଠୁଙ୍ଗୁରୁର ବିବାଦ ରହି ଆସିଥିଲା ।

ତେଣୁ ଗୁଣି ଗାରେଡି ସନ୍ଦେହରେ ପୁତୁରା ଏହି ହତ୍ୟାକାଣ୍ଡ ଭିଆଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ପୋଲିସ ପୁତୁରା ଏବଂ ଅନ୍ୟ ଜଣେ ସମ୍ପର୍କୀୟକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।