spot_img

Latest Posts

ପୁରୀରେ ଦୁର୍ବ୍ୟବହାର ଶିକାର ହେଲେ ସାମ୍ବାଦିକ

ପୁରୀ: ପୁରୀରେ ଦୁର୍ବ୍ୟବହାର ଶିକାର ହେଲେ ସାମ୍ବାଦିକ। ସାମ୍ବାଦିକମାନଙ୍କୁ ରଥଯାତ୍ରା ଖବର ସଂଗ୍ରହ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇ ପୁରୀ ନିଆଯାଇଥିଲା। କର୍ଡନ ପାସ ଥାଇ ମଧ୍ୟ ପୋଲିସ ବ୍ୟାରିକେଡ ଭିତରକୁ ଛାଡିନଥିଲା। ଯାହାକୁ ନେଇ ସାମ୍ବାଦିକ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଜଣାପଡିଛି।

ଅଭିଯୋଗ ଅନୁଯାୟୀ ଧସ୍ତାଧସ୍ତି ଯୋଗୁ ୭ ଜଣ ସାମ୍ବାଦିକ ଆହତ ହୋଇଛନ୍ତି। ଜଣେ ମହିଳା ସାମ୍ବାଦିକଙ୍କ ହାତ କଟି ଯାଇ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ମେଡିକାଲ ନିଆଯାଇ ୨୦ଟି ଷ୍ଟିଚ୍ ପକାଯାଇଛି। ଭୁବନେଶ୍ଵରରୁ ସରକାରଙ୍କ ତରଫରୁ ଓଟିଡିସି ବସ ଯୋଗେ ୫୨ ଜଣ ସାମ୍ବାଦିକ ପୁରୀ ଯାଇଥିଲେ। ଏଇ ଘଟଣାରେ ସାମ୍ବାଦିକମାନେ ଘୋର ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି। ଏହାସହ ସିସିଟିଭି କ୍ୟାମେରା ଯାଞ୍ଚ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସେପଟେ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କଲେ ବିରୋଧୀ। ବିଜେଡି ମିଡିଆ ସଂଯୋଜକ ଲେନିନ ମହାନ୍ତିଙ୍କ ପକ୍ଷରୁ ପ୍ରେସବାର୍ତ୍ତା ଜାରି କରି କୁହାଯାଇଛି, ଜୟଦେବ ଭବନରୁ ସାମ୍ବାଦିକମାନଙ୍କୁ ସରକାର ପୁରୀ ନେଲେ। ସେମାନଙ୍କ ପରିଚୟପତ୍ର ଓ କର୍ଡନ ପାସ ଥାଇ ବି ପୋଲିସ କର୍ଡନ ଭିତରକୁ ଛଡାଗଲାନି। ବରଂ ପୋଲିସ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ଠେଲାପେଲା କରିଥିଲା। ଯେଉଁଥିରେ ଅଧିକାଂଶ ବରିଷ୍ଠ ସାମ୍ବାଦିକ ଆହତ ହୋଇଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଲେନିନ ଦାବି କରିଛନ୍ତି। ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ପିସିସି ସଭାପତି ମଧ୍ୟ ନିନ୍ଦା କରିଛନ୍ତି।

Latest Posts

Don't Miss