spot_img

Latest Posts

ବିନା ବ୍ରେକରେ ନାଟକ ପରିବେଶଣ, ବିଶ୍ବ ରେକର୍ଡ କଲା ବେଲପାହାଡ଼ର ମିରର ଥିଏଟର

ଝାରସୁଗୁଡ଼ା: ବିନା ବ୍ରେକରେ ଲଗାତାର ୪୮ ଘଣ୍ଟାର ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ କଲା ମିରର ଥିଏଟର। ଝାରସୁଗୁଡା ଜିଲ୍ଲା ବେଲପାହାଡର ମିରର ଥିଏଟରର ଦୀର୍ଘ ଦିନର ପରିଶ୍ରମ ଲେଖିଦେଲା ନୂଆ ଇତିହାସ। ଖୁସିରେ ଭିଜିଗଲା ଷ୍ଟେଜ। ସବୁଆଡ଼ୁ ଛୁଟୁଛି ମିରର ଥିଏଟର ପାଖକୁ ଶୁଭେଚ୍ଛାର ସୁଅ। ୪୮ଘଣ୍ଟାରୁ ଅଧିକ ସମୟ ଧରି ସମ୍ବଲପୁରୀ ନାଟକ କାଏନଜୁରୀ ପ୍ରଦର୍ଶନ କରି ବିଶ୍ୱ ରେକର୍ଡର ଅଧିକାରୀ ହୋଇଛି । ବିଶ୍ୱର ସବୁଠୁ ଲମ୍ବା ନାଟକ ପ୍ରଦର୍ଶନ କରି (IEA) ଇଣ୍ଟରନେସନାଲ ଏକ୍ସସେଲେନ୍ସ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇ କେବଳ ଝାରସୁଗୁଡା ଜିଲ୍ଲା ନୁହେଁ ସମଗ୍ର ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିଛି ମିରର ଥିଏଟର । ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟରେ ଗତ ଡିସେମ୍ବର ୧ ତାରିଖ ସନ୍ଧ୍ୟା ୭ ଟା ୪୫ ମିନିଟରୁ ସମ୍ବଲପୁରୀ ନାଟକ କାଏନଜୁରୀ ପ୍ରଦର୍ଶନ ଆରମ୍ଭ କରିଥିଲା ମିରର ଥିଏଟର ।

ଏହି ନାଟକ ଡିସେମ୍ବର ୩ ତାରିଖ ସନ୍ଧ୍ୟା ୯ ଟା ୩୩ରେ ସମାପ୍ତ ହୋଇଥିଲା  । ଲଗାତାର ଭାବରେ ୪୯ ଘଣ୍ଟା ୪୮ ମିନିଟ ୧୨ ସେକେଣ୍ଡର ନାଟକ ପ୍ରଦର୍ଶନ କରି ଆଜି ବିଶ୍ୱ ଦରବାରରେ ନା କରିଛି ମିରର ଥିଏଟର । ବିଶ୍ୱ ରେକର୍ଡର ଅଧିକାରୀ ହୋଇଥିବା ଏହି ସମ୍ବଲପୁରୀ ନାଟକ କାଏନଜୁରୀରେ ଲାଲ ପାଏନ, ଦୂର ଆକାଶେ, ଗାଁ, ଟ୍ରାଫିକ ପୋଷ୍ଟ, ବେକାର, ହନୁମାନ ପଇସା, ଗୁଗୁଲ ମ୍ୟାପ, ଗୁରୁ ଚେଲା, ଚେହେରା, ମୂର୍ତ୍ତି, କାଠର ଚୌକି, ତୋର କିରିଆ, ପାଚେନ ପରି ଶହେ ଗୋଟି ନାଟକ କୁ ବିନା ବ୍ରେକରେ ଗୋଟିଏ ପରେ ଗୋଟିଏ ପ୍ରଦର୍ଶିତ ହୋଇଛି  । ୨୦୦ ରୁ ଅଧିକ କଳାକାର ଏହି ନାଟକରେ ଅଭିନୟ କରିଛନ୍ତି । ଦେଢ଼ ମାସର ଛୋଟ ଶିଶୁ ଠାରୁ ଆରମ୍ଭ କରି ୭୫ ବର୍ଷର ବରିଷ୍ଠ ନାଗରିକ ମଧ୍ୟ ଏହି ନାଟକରେ ଅଭିନୟ କରିଛନ୍ତି । ନାଟ୍ୟ ଇତିହାସରେ ମିରର ଥିଏଟର ଏହିଭଳି ପ୍ରୟାସକୁ ଉପସ୍ଥିତ ଅତିଥି, ନାଟ୍ୟକାର, ନେତା ତଥା ଦର୍ଶକମାନେ ପ୍ରଶଂସା କରିଛନ୍ତି।ଅନ୍ୟ ପଟେ ଏହା ନାଟକ କ୍ଷେତ୍ରରେ ଜଡିତ ସମସ୍ତଙ୍କୁ ଉତ୍ସାହିତ କରିବ ଏବଂ ଆଗାମୀ ପୀଢ଼ିର କଳାକାରଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମିରର ଥିଏଟର ର ନିର୍ଦେଶକ ସୁବାଷ ପ୍ରଧାନ କହିଛନ୍ତି ।

Latest Posts

Don't Miss