ନାବାଳକ ହତ୍ୟା ନେଇ ଚାଲିଥିଲା ଶୁଣାଣି, ସୁପ୍ରିମକୋର୍ଟରେ ପହଞ୍ଚିଲା ବାଳକ

1 min read

ନୂଆଦିଲ୍ଲୀ: ହତ୍ୟା ହୋଇଥିବା ନାବାଳକର ମାମଲା ଚାଲିଛି । ହେଲେ ଅଦାଲତରେ ହାଜର ହେଲେ ଖୋଦ୍ ନାବାଳକ । ପୁଣି ଅନ୍ୟ କୌଣସି କୋର୍ଟରେ ନୁହେଁ ବରଂ ଖୋଦ୍ ସୁପ୍ରିମକୋର୍ଟରେ ଏହି ଘଟଣା ଘଟିଛି । ଏପରି ଏକ ବିଚିତ୍ର ଘଟଣା ଦେଶର ପୋଲିସ ତଦନ୍ତ ବ୍ୟବସ୍ଥାକୁ ଚାଲେଞ୍ଜ ଦେଇଛି । ଉତ୍ତରପ୍ରଦେଶ ପିଲିଭିଟର ଜଣେ ୧୧ ବର୍ଷ ବୟସ୍କ ବାଳକ ସୁପ୍ରିମକୋର୍ଟ ଖଣ୍ଡପୀଠ ନିକଟରେ ପହଞ୍ଚିବା ସହ ତାକୁ ହତ୍ୟା କରାଯାଇଛି ବୋଲି ଚାଲିଥିବା ମାମଲା ମିଛ ବୋଲି ଦର୍ଶାଇଛି ।

ବାଳକଟି କହିଛି- ତାର ବାପା ଏହି ମିଛ ଅଭିଯୋଗ କରିବା ସହ ଜେଜେବାପା ଓ ମାମୁଙ୍କ ବିରୋଧରେ ଫସାଇବା ଲାଗି ଏହି ଯୋଜନା କରିଛନ୍ତି । ଏହି ଘଟଣା ପରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାର, ପିଲଭିଟ ପୋଲିସ ଏସପି ଓ ନେଉରିଆ ଥାନା ଷ୍ଟେସନ ହାଉସ ଅଫିସରଙ୍କୁ ନୋଟିସ ଜାରି କରିଛନ୍ତି । ବାଳକ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ କୁଳଦୀପ ଜୌହରୀ କହିଛନ୍ତି- ବାଳକଟିର ବାପା ଯୌତୁକ କାରଣରୁ ଅତ୍ୟନ୍ତ ହିଂସ୍ର ଭାବେ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ପିଲାଟି ଗତ ୨୦୧୩ରୁ ଅଜାଘରେ ରହିଆସୁଥିଲା ।

ବାପା ବିରୋଧରେ ପିଲାଟିର ଅଜା ଏକ ଯୌତୁକଜନିତ ମୃତ୍ୟୁ ମାମଲା ରୁଜୁ କରିଥିଲେ । ପରେ ପିଲାଟିକୁ ନିଜ ନିକଟକୁ ନେବା ଲାଗି ବାପା ମାମଲା ଦାୟର କରିଥିଲେ । ଗତ କିଛି ମାସ ତଳେ ପିଲାଟିକୁ ହତ୍ୟା କରାଯାଇଥିବା ନେଇ ଅଜା ଓ ତାଙ୍କ ୪ ସନ୍ତାନଙ୍କ ନାମରେ ବାପା ଅଭିଯୋଗ କରିଥିଲେ । ତେବେ ବାପାଙ୍କ ଅଭିଯୋଗ ପ୍ରକାରେ ପୋଲିସ ୩୦୨, ୫୦୪, ୫୯୬ ଅନୁସାରେ ଅଜା ଓ ତାଙ୍କର ୪ ସନ୍ତାନଙ୍କ ବିରୋଧରେ ମାମଲା ଦାୟର କରିଥିଲା ।

ଏହି ଏଫଆଇଆର ବିରୋଧରେ ଅଜା ଓ ତାଙ୍କ ପୁଅମାନେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାତ୍ର ସେମାନଙ୍କ ଆବେଦନକୁ ହାଇକୋର୍ଟ ରଦ୍ଦ କରିବା ପରେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଏହି ମାମଲାର ଶୁଣାଣି ଚାଲିଥିବାବେଳେ ଖୋଦ୍ ବାଳକଟି କୋର୍ଟରେ ହାଜର ହେବା ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀରେ ହେବ ।