ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଘରଠୁ ୨୦ କିମି ଦୂର କାଜୁ ଜଙ୍ଗଲରୁ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ଜଳେଶ୍ଵର ଅଞ୍ଚଳରେ ପୁଣି ଲଜ୍ଜା । ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଘରଠାରୁ ୨୦ କି.ମି. ଦୂର କାଜୁ ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି । ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ପରିବାର ଲୋକଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।

୨୦୨୫ ମେ’ ୨୨ ତାରିଖ । ବାଲେଶ୍ଵର ଭୋଗରାଇ ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଘଟଣାର ୩ ଦିନ ପୂରିନି, ଜଳେଶ୍ଵର ଅଞ୍ଚଳରେ ଆଉ ଜଣେ ନାବାଳିକା ଦୁଷ୍କର୍ମର ଶିକାର । ତା’ ପୁଣି ଜଣେ ଦିବ୍ୟାଙ୍ଗ ମାନସିକ ବିକାରଗ୍ରସ୍ତ ନାବାଳିକା । ଶୌଚ ପାଇଁ ନାବାଳିକା ଜଣକ ଘରୁ ବାହାରିଥିଲେ । ହେଲେ ଆଉ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ବହୁ  ଖୋଜାଖୋଜି ପରେ ଗୋବରଘଟା ସ୍ଥିତ ସିଟ୍ ଛକରୁ ନାବାଳିକାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ହାତୀଗଡ଼ ହସ୍ପିଟାଲରେ ଡାକ୍ତରୀ ମାଇନା ପରେ ନାବାଳିକା ଦୁଷ୍କର୍ମ ଶିକାର ହୋଇଥିବା ଜଣାପଡିଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର । ତଦନ୍ତ ପରେ ଅଭିଯୁକ୍ତ ସଞ୍ଜୀବ ଘୋଷ ନାମକ ଯୁବକକୁ ଗିରଫ କରିଛି ରାଇିବଣିଆ ପୋଲିସ ।

ଜଳେଶ୍ଵର ଅଞ୍ଚଳରେ ବାରମ୍ବାର ମହିଳା ନିର୍ଯାତନା, ନାବାଳିକା ଦୁଷ୍କର୍ମ ନେଇ ଘଟଣା ସାମନାକୁ ଆସୁଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦାନା ବାନ୍ଧିଲାଣି । ଅଭିଯୋଗ କରିଛନ୍ତି, ଜିଲ୍ଲାରେ ଆଉ ସୁରକ୍ଷିତ ମଣୁନାହାନ୍ତି ମହିଳା ଓ ଶିଶୁ । ପ୍ରଶାସନ ଓ ପୋଲିସର ଅପାରଗତା ଯୋଗୁଁ ଅପରାଧ ବଢି ଚାଲିଛି । ବାରମ୍ବାର ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଥିବାରୁ ଘରର ଝିଅ ବୋହୂ ବାହାରକୁ ବାହାରିବାକୁ ଭୟ କରୁଛନ୍ତି । ଏବର ରାଜ୍ୟ ସରକାରଙ୍କ ସମୟରେ  ଆଇନଶୃଙ୍ଖଳା ବିଗିଡିଥିବା ବେଳେ ପୋଲିସର ସ୍ଥାଣୁତାକୁ ଦାୟୀ କରିଛନ୍ତି ଲୋକେ ।

ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଳେଶ୍ଵର ପୋଲିସ । ସେପଟେ ଗତ ୨୨ ତାରିଖ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ  ଜଣେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ ।