ଇନଫୋସିଟି ଗଣ ଦୁଷ୍କର୍ମ ମାମଲା,ଚପାଇବା ପାଇଁ ସବୁ ଉଦ୍ୟମ ହେଲା ପଣ୍ଡ

ଭୁବନେଶ୍ୱର: ଇନଫୋସିଟି ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ୪ ଜଣଙ୍କୁ ଗିରଫ କରିଛି । ମାମଲାରେ ତଦନ୍ତର ଶିଥିଳତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ । ଡିସେମ୍ବର ୧୬ ତାରିଖ ସୁଦ୍ଧା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ଆଦେଶ ଦେଇଥିଲେ । ଏହି ଅବଧି ପୂରା ହେବାର ଦୁଇ ଦିନ ପୂର୍ବରୁ କ୍ରାଇମବ୍ରାଞ୍ଚ ଆକ୍ସନ ମୋଡକୁ ଆସି ଗିରଫଦାରୀ କରିଛି ।

ତେବେ ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡକୁ ଚାପିବା ପାଇଁ ଓଟିଭି ପକ୍ଷରୁ ବିଶେଷକରି ଏହାର ଏମଡିଙ୍କ ତରଫରୁ ଯେଉଁ ଉଦ୍ୟମ ହୋଇଥିଲା ତାହା ଶେଷରେ ହାଇକୋର୍ଟଙ୍କ ଚାପ ଆଗରେ ଫିକା ପଡିଯାଇଛି । ଓଟିଭି ଏମଡି ତଦନ୍ତକୁ ବାଟହୁଡା କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ । ଜଗି ମଙ୍ଗତ ପଣ୍ଡା ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ବାରମ୍ବାର ନୋଟିସ ସତ୍ୱେ ନିଜେ ଆୟୋଗଙ୍କ ନିକଟରେ ହାଜର ହେଉନଥିଲେ । ବାରମ୍ବାର ପ୍ରତିନିଧି ପଠାଇ ସମୟ ଗଡାଇ ଚାଲିଥିଲେ । ଏପରିକି ଏହି ମାମଲା ସଂପୂର୍ଣ୍ଣ ରୂପେ ପ୍ରାୟୋଜିତ ବୋଲି କହିବାକୁ ମଧ୍ୟ ସେ ପଛାଇ ନଥିଲେ । ଲକଡାଉନ୍ ଆରମ୍ଭ କାଳରେ ଘଟିଥିବା ଏହି ଘଟଣାକୁ ଚାପି ଦେବା ପାଇଁ ଓଟିଭି କର୍ତ୍ତୁପକ୍ଷ ସବୁ ପ୍ରକାର ଉଦ୍ୟମ କରିଥିଲେ । ଏପରିକି ନାବାଳିକାଙ୍କ ମା’ଙ୍କୁ ମଧ୍ୟ ନ୍ୟାୟ ଦେବା ବଦଳରେ ଚାକିରିରୁ ବାହାର କରିଦିଆଯାଇଥିଲା । ଏବେ ହାଇକୋର୍ଟଙ୍କ ଦଖଲ ପରେ ଏହି ସବୁ ଗିରଫଦାରୀ ହୋଇଛି । ଗିରଫଦାରୀ ପରେ ନାବାଳିକା ଓ ତାଙ୍କ ମା’ଙ୍କୁ ନ୍ୟାୟ ମିଳିବା ଆଶା ଜାଗିଛି ।

            ସୂଚନା ଯୋଗ୍ୟ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କୁ ଓଡ଼ିଶା ଶିଶୁ ଅଧିକାର ଆୟୋଗ ଏବଂ ମହିଳା କମିଶନଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ତେବେ ଓଟିଭି ଏମ୍‌ଡି କେବଳ ଥରେ ମାତ୍ର ମହିଳା କମିଶନଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । କିନ୍ତୁ ଅଧ୍ୟକ୍ଷାଙ୍କ ନିକଟରେ ହାଜର ନହୋଇ କାମ ଥିବା ଆଳ ଦେଖାଇ ସେଠାରୁ ଚାଲିଯାଇଥିଲେ । ଏନେଇ ପରବର୍ତ୍ତୀ ସମୟରେ ମଧ୍ୟ ବାରମ୍ୱାର ତାଙ୍କୁ କମିଶନଙ୍କ ନିକଟରେ ବ୍ୟକ୍ତିଗତଭାବେ ହାଜର ହେବାକୁ ନୋଟିସ ହୋଇଥିଲେ ସୁଦ୍ଧା ସେ ହାଜର ହେଉନଥିଲେ । ଓକିଲ ଏବଂ ପିଆରଓଙ୍କ ଜରିଆରେ ନିଜ ପକ୍ଷ ରଖୁଛନ୍ତି ।

ଅପରପକ୍ଷରେ ମାମଲାରେ ପୋଲିସର ଶିଥିଳ ତଦନ୍ତ ନେଇ ମଧ୍ୟ ଭତ୍ସନା କରିଥିଲେ କୋର୍ଟ  । ପୋଲିସ ଡିଜି ଅଭୟ ହାଇକୋର୍ଟଙ୍କ ଆଗରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବା ସହ  ଅତିରିକ୍ତ ଡିଜି ମାମଲାର ଅଗ୍ରଗତି ନେଇ ଜଉମୁଦ ଲଫାପାରେ ସତ୍ୟପାଠ ଦାଖଲ କରିଥିଲେ  ।

Leave a Reply