spot_img

Latest Posts

କୋରିୟର ଦେଲା ନାବାଳିକାର ଠିକଣା, ଦିଲ୍ଲୀରେ ବିକ୍ରି କରି ଦେଇଥିଲା ଦଲାଲ୍

ରାଉରକେଲା: ଦିଲ୍ଲୀରୁ ଉଦ୍ଧାର ହେଲା ରାଉରକେଲାର ନାବାଳିକା । ବୁଲାଇ ନେବାକୁ କହି ବିକ୍ରି କରି ଦେଇଥିଲା ଦଲାଲ୍ । ମାନବଚାଲାଣକୁ ନେଇ ସଦାବେଳେ ଚର୍ଚ୍ଚାରେ ରହି ଆସୁଥିବା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡ଼ରୁ ପୁଣି ଆସିଛି ନାବାଳିକା ବିକ୍ରି ଅଭିଯୋଗ । ରାଉରକେଲା ପୋଲିସର ସ୍ୱତନ୍ତ୍ର ଟିମ ଦିଲ୍ଲୀରୁ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ସହ ମହିଳା ଦଲାଲକୁ ଅଟକ ରଖି ପଚରାଉଚରା କରୁଛି ।ପ୍ରାୟ ସପ୍ତାହେ ତଳେ ରାଉରକେଲା ଅଞ୍ଚଳର ଜଣେ ନାବାଳିକାଙ୍କୁ ବୁଲାଇ ନେବାକୁ କହି ଦଲାଲ୍ ଜଣଙ୍କ ଦିଲ୍ଲୀ ନେଇ ଯାଇଥିଲେ । ସେଠାରେ ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଥିବା ଜାଣିବା ପରେ ନାବାଳିକା ଘରକୁ ଫୋନ୍ କରିଥିଲେ । ନାବାଳିକ ରହୁଥିବା ଘରୁ ପାଇଥିବା କୋରିୟର ପ୍ୟାକେଟ ଆଡ୍ରେସ୍ ଘର ଲୋକଙ୍କୁ ଦେଇଥିଲେ । ପରିବାର ଲୋକ ପୋଲିସରେ ଅଭିଯୋଗ କରିବା ସହ ଝିଅ ଦେଇଥିବା ଠିକଣା ଦେଇଥିଲେ ।ପୋଲିସ ଉକ୍ତ ଠିକଣାରେ ଚଢ଼ାଉ କରି ନାବାଳିକାଙ୍କୁ ଉଦ୍ଧାର କରିଛି । ମହିଳା ଦଲାଲକୁ ଅଟକ ରଖି ପଚରାଉଚରା କରୁଛି । ତେବେ, ନାବାଳିକା ବିକ୍ରି ପଛରେ ଆଉ କିଏ କିଏ ସମ୍ପୃକ୍ତ ? ଏଥିରେ କୌଣସି ରାକେଟ କାମ କରୁଛି କି ? ପୋଲିସ ସେ ଦିଗରେ ଅଧିକ ଖୋଳତାଡ଼ କରୁଛି । ପୋଲିସ ନାବାଳିକା ଜଣଙ୍କୁ ଉଦ୍ଧାର କରି ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରିଛି ।ସୁନ୍ଦରଗଡ଼ ଜିଲ୍ଲାରୁ ବାହାର ରାଜ୍ୟକୁ ନାବାଳିକା ଚାଲାଣ ଘଟଣା ପ୍ରଥମ ନୁହେଁ । ଗତବର୍ଷ ଦିଲ୍ଲୀରେ ୪ ଜଣ ନାବାଳିକାଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା । କିଛିଦିନ ତଳେ ସୁନ୍ଦରଗଡ଼ର ୨ ଭଉଣୀଙ୍କୁ ଜମ୍ମୁ କଶ୍ମୀରରେ ବିକ୍ରି ଅଭିଯୋଗ ଖବର ମଧ୍ୟ ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।

Latest Posts

Don't Miss