ବରଯାତ୍ରୀରେ ନାଚୁଥିବା ଶିଶୁ କନ୍ୟାକୁ ପ୍ରଥମେ ଅପହରଣ, ପରେ ଦୁଷ୍କର୍ମ ଓ ହତ୍ୟା
1 min readଲକ୍ଷ୍ନୌ: ଶିଶୁ ବଳତ୍କାର ଘଟଣାରେ ଦେଶରେ ଶୀର୍ଷରେ ଥିବା ଉତ୍ତରପ୍ରଦେଶରୁ ଆସିଛି ଆଉ ଏକ ଛାତିଥରା ଘଟଣା । ଏକ ନିରୀହ ଶିଶୁ କନ୍ୟା ସହ ଯାହା ଘଟିଛି, ତାହା ବିଚଳିତ କରିଦେଲାଭଳି । ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଇ ବରଯାତ୍ରୀଙ୍କ ସହ ନାଚୁଥିବା ପାଞ୍ଚବର୍ଷର ଶିଶୁ କନ୍ୟାକୁ ବଳତ୍କାର ପରେ ହତ୍ୟା । ମିଳିଥି୍ବା ସୂଚନା ମୁତାବକ ବାପା-ମାଆଙ୍କ ସହ ଜଣେ ପରିଜନଙ୍କ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲା ପାଞ୍ଚ ବର୍ଷର ନାବାଳିକା । ଡିଜେର ତାଳେ ତାଳେ ନାଚରେ ମସଗୁଲ ଥିଲା କୁନି ଝିଅ । ସମକ୍ଷକ ପିଲାଙ୍କ ମେଳରେ ରାତି ୧୨ଟାରେ ଡ୍ୟାନ୍ସ କରୁଥିବା ନାବାଳିକା କେଉଁଆଡ଼େ ନିଖୋଜ ହୋଇଯାଇଥିଲା । ପରେ ଏକ ଧାନ କ୍ଷେତରେ ଶିଶୁର ମୃତ ଶରୀର ପଡ଼ିଥିବାବେଳେ ଶିଶୁକନ୍ୟାକୁ ବଳତ୍କାର କରାଯାଇଥିବା ଅଭିଯୋଗ ହୋଇଛି ।
ଘଟଣା ଆଗ୍ରାର ମଲାପୁର ଥାନା ଅଞ୍ଚଳରେ ଘଟିଛି । ବୁଧବାର ରାତିରେ ଗ୍ରାମର ଜଣେ ସମ୍ପର୍କୀୟଙ୍କ ବିବାହ ଅନୁଷ୍ଠିତ ହେଉଥାଏ । ତେଣୁ ଦମ୍ପତ୍ତି ନିଜ ପାଞ୍ଚ ବର୍ଷର ଝିଅ ସହ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ । ବରଗାଡ଼ି ରୋଷଣୀରେ ଯାଉଥିବାବେଳେ ସମସ୍ତେ ନାଚଗୀତରେ ମସଗୁଲ ରହିଥିଲେ । ଏହି ସମୟରେ ଉକ୍ତ ଶିଶୁକନ୍ୟା ସେଠାରେ ଉପସ୍ଥିତ ରହିଥିଲା । ରାତି ପ୍ରାୟ ୧୨ ଟା ସମୟରେ ମଧ୍ୟ ଶିଶୁ କନ୍ୟାଟି ନାଚୁଥିବା ନଜର ଆସିଥିଲା । ପରେ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବାପା-ମାଆ ମଧ୍ୟ ବିବାହ କାର୍ଯ୍ୟରେ ବେସ ବ୍ୟସ୍ତ ରହିଥିଲେ । ତେଣୁ ଝିଅଟି ସମ୍ପର୍କୀୟଙ୍କ ପାଖରେ ଶୋଇଥିବା ନେଇ ଅନୁମାନ କରିଥିଲେ । ବୁଧବାର ଯାଇ ଗୁରୁବାର ହୋଇଥିଲା । ସମସ୍ତେ ଉଠିଥିଲେ କିନ୍ତୁ ନାବାଳିକର କୌଣସି ସୂଚନା ମିଲିନଥିଲା । ପରିବାର ଓ ସମ୍ପର୍କୀୟ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତ୍ତା ମିଳି ନଥିଲା । ରାତି ୧୨ ଟା ପରେ ଶିଶୁ କନ୍ୟାକୁ କେହି ଦେଖନଥିବା ମଧ୍ୟ କହିଥିଲେ । ଶେଷରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ ।
ମଲାପୁର ପୋଲିସ ଘଟଣା ସ୍ଥଳରେ ପହଁଚି ସମସ୍ତ ବିଷୟରେ ପଚାରି ବୁଝିଥିଲେ । ବିବାହ କାର୍ଯ୍ୟର ବ୍ୟସ୍ତତା ଭିତରେ ନାବାଳିକାର ବାପା-ମାଆ ପିଲାକୁ ଦେଖିନଥିବା କହିଥିଲେ । ରାତି ୧୨ଟାରେ ଝିଅ ବରଯାତ୍ରୀଙ୍କ ମେଳରେ ନାଚୁଥିବା ଶେଷଥର ପାଇଁ ଦେଖିଥିବା କହିଥିଲେ ଅଭିଭାବକ । ତେବେ ଏହା ପରେ ଝିଅକୁ ଆଉ ଦେଖନଥିଲେ । ପରିଜନଙ୍କ ସହ ଶୋଇପଡିଥିବା ଅନୁମାନ କରିଥିଲେ, ତେଣୁ ଆଉ ଖୋଜିନଥିବା କହିଥିଲେ । ସେପଟେ ବନ୍ଧୁ ପରିଜନଙ୍କ ସହ ଗ୍ରାମରେ ସର୍ଚ୍ଚ ଅପରେସନ ଜୋରଦାର କରିଥିଲା ସ୍ଥାନୀୟ ପୋଲିସ । ପ୍ରାୟ ୨ ଘଣ୍ଟା ଖୋଜାଖୋଜି କରିବା ପରେ ଡ୍ୟାନ୍ସ କରୁଥିବା ସ୍ଥାନର ୨୦୦ ମିଟର ଦୂରରେ ଝିଅର ମୃତ ଶରୀର ପଡ଼ିଥିବା ପାଇଥିଲା ପୋଲିସ । ସେପଟେ ଉଦ୍ଧାର ସମୟରେ ଶିଶୁ କନ୍ୟାଟି ଦେହରେ ନଥିଲା କପଡ଼ା । ତେଣୁ ଶିଶୁ କନ୍ୟାଟିକୁ ବଳତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ସେପଟେ ଏପରି ସାଙ୍ଘାତିକ ଅଭିଯୋଗ ପରେ ଏସଏସପି ସୁଧୀର କୁମାର ସିଂଙ୍କ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଁଚିଛନ୍ତି । ଏସଏସପି କହିଛନ୍ତି ଏହି ଘଟଣା ଯଥା ଶୀଘ୍ର ପର୍ଦ୍ଦାଫାସ କରାଯିବ । ଯେଉଁ ଅଭିଯୁକ୍ତ ଏହି ଘଟଣାରେ ସଂଶ୍ଲିଷ୍ଟ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୋଲିସର ସନ୍ଦେହରେ ରହିଛନ୍ତି ନାବାଳିକାର ସଂପର୍କୀୟ । କାରଣ କୌଣସି ପରିଚିତ ଲୋକ ହିଁ ଘଟଣାରେ ଜଡିତ ଥିବା ଅନୁମାନ କରିଛି ପୋଲିସ । ରାତି ୧୨ ଟାରେ ଡ୍ୟାନ୍ସ କରୁଥିବା ଝିଅକୁ ଅପହରଣ ଏବଂ ହତ୍ୟା କରିବା ପଛରେ କାହାର ହାତ ରହିଛି ତାହାର ସନ୍ଧାନ ଚଳାଇଛି । ଭିଡ଼ିଓ ସୁଟ ହୋଇଥିବା କ୍ଲିପକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ନାବାଳିକା ନାଚୁଥିବା ବେଳେ କେଉଁମାନେ ପାଖରେ ଥିଲେ, ସେମାନଙ୍କୁ ଚିହ୍ନଟ କରୁଛି ପୋଲିସ ।