ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ପୋଡ଼ିଦେବା ଘଟଣା, ଅଭିଯୁକ୍ତକୁ କୋର୍ଟଚାଲାଣ

ବାଲେଶ୍ୱର: ଏକତରଫା ପ୍ରେମରେ ବିଫଳ ହୋଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ କିରୋସିନ ଢାଳି ଜୀଅନ୍ତା ପୋଡ଼ିଦେବା ସହ ଯୁବକ ବିଷ ପିଇବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୀର୍ଘ 27 ଦିନ ପରେ ଯୁବକକୁ କୋର୍ଟ ଚାଲାଣ କରିଛି ପୋଲିସ । ବାଲେଶ୍ଵର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗାଁରେ ଗତ ଜୁଲାଇ ମାସ 24 ତାରିଖରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ଉପରେ କିରୋସିନ ଢାଳି ଜୀଅନ୍ତା ପୋଡ଼ି ଦିଆଯାଇଥିଲା ।

ମିଳିଥିବା ସୂଚନା ମୁତାବକ ଜ୍ୟୋତ୍ସ୍ନାରାଣୀଙ୍କୁ ସେହି ଗାଁର ଦୟାନିଧି ଜେନା ଏକତରଫା ପ୍ରେମ କରୁଥିଲେ । ଯାହାକୁ ପ୍ରତ୍ୟାଖ୍ୟାନ କରିଥିଲେ ଜ୍ୟୋତ୍ସ୍ନାରାଣୀ । ଜୁଲାଇ 24 ତାରିଖରେ ଜ୍ୟୋତ୍ସ୍ନାରାଣୀ ପାଇଖାନା ଯାଇଥିବା ବେଳେ ଦୟାନିଧି ତାଙ୍କ ମୁଁହରେ ଲୁଗା ଦେଇ ତାଙ୍କ ମଥାର ଚୁଟି କାଟିଦେବା ସହିତ କିରୋସିନ ଢାଳି ନିଆଁ ଲଗାଇଦେଇଥିଲା । ଜ୍ୟୋତ୍ସ୍ନାରାଣୀ ଚିତ୍କାର କରିବାରୁ ପଡ଼ୋଶୀମାନେ ଆସି ଉଦ୍ଧାର କରିଥିଲେ ।

କିନ୍ତୁ ଉଦ୍ଧାର ବେଳକୁ ଜ୍ୟୋତ୍ସ୍ୱାରାଣୀଙ୍କର ମୃତ୍ୟୁ ହୋଇସାରିଥିଲା । ପରେ ହତ୍ୟା ଅଭିଯୁକ୍ତ ଦୟାନିଧି ନିଜେ ବିଷ ପିଇ ଦେଇଥିଲା ।ପୋଲିସ ସହଯୋଗରେ ତାକୁ ପ୍ରଥମେ ବାଲେଶ୍ଵର ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୀର୍ଘ 27 ଦିନ ପରେ ଦୟାନିଧିକୁ କୋର୍ଟ ଚାଲାଣ କରାଯାଇଛି ।