ନାବାଳିକାଙ୍କୁ ଅପହରଣ ପରେ ମାସେ ଯାଏଁ ଦୁଷ୍କର୍ମ !

1 min read

ବାରିପଦା: ମାଆ ଦେହ ଖରାପ, ଚାଲ୍ ମେଡିକାଲ ଯିବା । ଘରେ କେହି ନଥିବା ବେଳେ ନାବାଳିକାଙ୍କୁ ଏମିତି କହି ଅପହରଣ ପରେ ମାସାଧିକ କାଳ ବାରମ୍ବାର ଦୁଷ୍କର୍ମ ଅଭିଯୋଗ । ଏମିତି ଅଭିଯୋଗ ଆସିଛି ମୟୂରଭଞ୍ଜି ଜିଲ୍ଲା ବଡ଼ସାହି ଥାନା ଭୀମଦା ଫାଣ୍ଡି ଅଞ୍ଚଳରୁ । ଯେଉଁଠି ପଡ଼ୋଶୀ ମାସେରୁ ଅଧିକ ସମୟ ଧରି ନାବାଳିକାଙ୍କ ସହ ଏମିତି ଅପକର୍ମ କରିଥିବା ଅଭିଯୋଗ ହୋଇଛି । ଆଉ ବଡ଼ କଥା ହେଉଛି ସମଗ୍ର ଘଟଣାରେ ସମ୍ପୃକ୍ତ ରହିଛନ୍ତି ଅଭିଯୁକ୍ତଙ୍କ ପରିବାର । ପୋଲିସ ଅଭିଯୁକ୍ତର ବାପା, ମାଆଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ଜୁଲାଇ ୧୭ ତାରିଖରେ ନାବାଳିକା ଜଣଙ୍କ ବାପା, ମାଆ ବିଲକୁ ଯାଇଥିଲେ । ନାବାଳିକା ଜଣଙ୍କ ଘରେ ଏକା ଥିବାର ସୁଯୋଗ ନେଇଥିଲେ ପଡ଼ିଶା ଘରର ଯୁବକ ରମାକାନ୍ତ ସିଂ (ପାଣ୍ଡେ) । ରମାକାନ୍ତ ହଠାତ୍ ନାବାଳିକାଙ୍କୁ ମାଆଙ୍କ ଦେହ ଖରାପ ହୋଇଛି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା କହିଥିଲେ । ପରେ ନାବାଳିକାଙ୍କୁ ଡାକ୍ତରଖାନାକୁ ଯିବାକୁ ବାଇକରେ ବସାଇ ନେଇ ଯାଇଥିଲେ । ହେଲେ ଡାକ୍ତରଖାନା ପରିବର୍ତ୍ତେ ଯୁବକ ଜଣକ ନାବଳିକାକୁ ଜଙ୍ଗଲକୁ ମାରଧର କରିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ ସେଠାରେ ଅଭିଯୁକ୍ତ ଦୁଷ୍କର୍ମ କରିବା ସହ ଅନ୍ୟତ୍ର ନେଇ ମାସାଧିକ ସମୟ ଦୁଷ୍କର୍ମ କରିଥିଲା ।

Abuse

ପରିବାର ଲୋକ ଘରକୁ ଫେରିବା ପରେ ଝିଅକୁ ବହୁତ ଖୋଜାଖୋଜି କରିଥିଲେ । ତା ପରଦିନ ଜୁଲାଇ ୧୮ ତାରିଖରେ ଭୀମଦା ଫାଣ୍ଡିରେ ଝିଅ ନିଖୋଜ ନେଇ ମାଆ ଅଭିଯୋଗ କରିଥିଲେ । ହେଲେ ସେଠାରେ ନାବାଳିକାଙ୍କର ମାଆ ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଫାଣ୍ଡିରେ ଜଣେ ମହିଳା ତାଙ୍କୁ ପିଟି ମୁଣ୍ଡ ଫଟେଇ ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମାଆ । ପରେ ଜୁଲାଇ ୧୯ ତାରିଖରେ ବଡ଼ସାହି ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲା ପୋଲିସ । ନିଖୋଜର ମାସକ ପରେ ମଧ୍ୟ ପୋଲିସ ନାବାଳିକାଙ୍କ ଠୋସ୍ ଖବର ପାଇନଥିଲା । ହଠାତ୍ ଗତ ୨୦ ତାରିଖରେ ନିଖୋଜର ୩୫ ଦିନ ପରେ ଅପହରଣକାରୀର ବାପା, ମାଆ ନାବାଳିକାଙ୍କୁ ଆଣି ଗାଁ ନିକଟ ଜଙ୍ଗଲରେ ଛାଡ଼ି ଯାଇଥିଲେ ।

ଏବଂ ଯିବା ସମୟରେ ଘଟଣା ସମ୍ପର୍କରେ କାହାରିକୁ କିଛି ନକହିବା ପାଇଁ ଧମକ ଦେଇଥିଲେ । ଥାନରୁ କେସ୍ ଉଠାଇ ନେବା ପାଇଁ କହିବା ସହ କେସ୍ ନଉଠାଇଲେ ବହୁତ ଖରାପ ହେବ ବୋଲି ଧମକ ମଧ୍ୟ ଦେଇଥିଲେ । ଆଉ ନାବାଳିକା ପିନ୍ଧିଥିବା ଡ୍ରେସରେ ଅପହରଣକାରୀ ଯୁବକଙ୍କ ମାଆ ୩ଟି ମୋବାଇଲ ନମ୍ବର ଲେଖି ଦେଇଥିଲେ । ଏଥିରେ ଗୋଟିଏ ଥିଲା ଅପହରଣ କାରୀ ଯୁବକର ଭଉଣୀର ନମ୍ବର, ଅନ୍ୟଟି ସ୍ଥାନୀୟ ମହିଳା ସମିତିର ଏବଂ ଅନ୍ୟ ନମ୍ବରଟି ଜଣେ ପୋଲିସ ଅଧିକାରୀଙ୍କ ବୋଲି ପୀଡ଼ିତା କହିଛନ୍ତି । ଯାହାକି ସମଗ୍ର ଘଟଣାକୁ ଆହୁରି ସନ୍ଦେହ ଭିତରକୁ ନେଇଯାଇଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ । ଅଭିଯୁକ୍ତ ରମାକାନ୍ତ ଏବେ ବି ଫେରାର୍ ରହିଛି । ପୋଲିସର ୨ଟି ଅଭିଯୁକ୍ତକୁ ଖୋଜାଖୋଜି କରୁଛି ।

ବାରିପଦାରୁ ସୁବ୍ରତ ଦାସ

Leave a Reply