ମେଡିକାଲ ଭିତରକୁ ଅନୁମତି ମିଳିଲାନି, ବାହାରେ ଶିଶୁକନ୍ୟା ଜନ୍ମ ଦେଲେ ୧୪ ବର୍ଷର ନାବାଳିକା

କନ୍ଧମାଳ: ବ୍ରାହ୍ମଣୀଗାଁରୁ ଆସିଛି ଲଜ୍ୟା ଜନକ ଖବର । ଯାହା ରାଜ୍ୟର ଆଇନ ଶୃଙ୍ଖଳା ସହ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପଦାରେ ପକାଇଛି । ଜଣେ ୧୪ ବର୍ଷର ନାବାଳିକାଙ୍କୁ ମେଡିକାଲରେ ପ୍ରସବ କରିବାକୁ ମିଳିନି ଅନୁମତି । ଫଳରେ ମେଡିକାଲ ପରିସର ବାହାରେ ନାବାଳିକା ଜଣଙ୍କ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଏମିତି ଅଭିଯୋଗ ବ୍ରାହ୍ମଣୀଗାଁ ମେଡିକାଲ ବିରୋଧରେ ହୋଇଛି । ଯାହା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟସେବାର ନଗ୍ନଚିତ୍ରକୁ ପଦାରେ ପକାଉଛି ।

ସୂଚନାଯୋଗ୍ୟ, ଆଜି ନାବାଳିକାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ମେଡିକାଲ ଭିତରେ ପ୍ରସବ କରାଇ ନଥିଲେ କି ପ୍ରସବ ପାଇଁ ଅନୁମତି ଦେଇ ନଥିଲେ । ଏମିତି ସ୍ଥିତିରେ ମେଡିକାଲ ପରିସର ବାହାରେ ନାବାଳିକା ଜଣଙ୍କ ବିପଦଜ୍ଜନକ ଭାବେ ଶିଶୁକୁ ଜନ୍ମ ଦେଇଥିବା ଅଭିଯୋଗ ହୋଇଛି । ଡାକ୍ତରଙ୍କ ଏଭଳି ଅମାନବୀୟ କାର୍ଯ୍ୟକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ପୂର୍ବରୁ ନାବାଳିକା ଜଣକ ଗର୍ଭବତୀ ଥିବା ଜାଣିବା ପରେ ଅଙ୍ଗନବାଡି ଓ ଆଶା ଦିଦି ସିଡିପିଓଙ୍କୁ ଜଣାଇଥିଲେ । ଏହାପରେ ସିଡିପିଓ ବ୍ରାହ୍ମଣୀଗାଁ ଥାନା ପୋଲିସକୁ ଜଣାଇଥିଲେ । ବ୍ରାହ୍ମଣୀଗାଁ ପୋଲିସ ନାବାଳିକାଙ୍କ ସହ ଶାରିରୀକ ସମ୍ପର୍କ ଅଭିଯୋଗରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଯୁବକଙ୍କୁ କୋର୍ଟ ଚାଲାଣ ପରେ ଗର୍ଭବତୀ ନାବାଳିକାଙ୍କୁ ବାଲିଗୁଡା ବନବାସୀ ଆଶ୍ରମରେ ରଖାଯାଇଥିଲା । କିଛିଦିନ ହେବ ପରିବାର ଲୋକେ ନାବାଳିକାଙ୍କୁ ଘରକୁ ଆଣିଥିଲେ ।