ଗଣଦୁଷ୍କର୍ମ ପରେ ହତ୍ୟା ଧମକ: ନାବାଳିକା ୪ ମାସ ଗର୍ଭବତୀ ହେବା ପରେ ଜଣାପଡ଼ିଲା ଘଟଣା, ୪ ଗିରଫ
ନନ୍ଦିଘୋଷ ବ୍ୟୁରୋ: ନାବାଳିକାଙ୍କୁ ୪ ଯୁବକ କଲେ ଗଣ ଦୁଷ୍କର୍ମ । କାହାକୁ କହିଲେ ଜୀବନରୁ ମାରି ଦେବାକୁ ଦେଲେ ଧମକ । ଭୟରେ ଚୁପ ରହିଲେ ନାବାଳିକା । ଏବେ ନାବାଳିକା ୪ ମାସର ଗର୍ଭବତୀ । ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ଥାନାରେ କଲେ ଅଭିଯୋଗ । ଘଟଣାର ତଦନ୍ତ କରି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ । ଗିରଫ ୪ ଅଭିଯୁକ୍ତ ହେଲେ ସୋରିଷପାଳ ଅଞ୍ଚଳର ନବ ହାଁସଦା, ବିରୁଡ଼ି ଅଞ୍ଚଳର ସାଲଖାନ ଟୁଡୁ, କଦମଡିହାର ସୁରାରି ହାଁସଦା ଓ ମଝିଗାଁର ଡମନ ହେମ୍ବ୍ରମ ।
ଅଭିଯୋଗ ଅନୁସାରେ, ୪ ଅଭିଯୁକ୍ତ ୪ରୁ ୫ ମାସ ପୂର୍ବେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ସହ କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଫଳରେ ନାବାଳିକା ଜଣଙ୍କ ଚୁପ ରହିଥିଲେ । ହେଲେ କିଛିଦିନ ହେବ ତାଙ୍କ ଶାରୀରିକ ପରିବର୍ତ୍ତନ ଦେଖା ଦେବାରୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା । ଏହାପରେ ପରିବାର ଲୋକ ପଚରାଉଚରା କରିବାରୁ ନାବାଳିକା ଜଣଙ୍କ ସବୁ କହିଥିଲେ । ପରିବାର ଲୋକେ ମେଡିକାଲ ନେଇ ଚେକଅପ୍ କରିବା ପରେ ନାବାଳିକା ୪ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ଘଟଣା ଜଣାପଡିବା ପରେ ପରିବାର ଲୋକେ ବାଙ୍ଗିରିପୋଷୀ ଥାନାରେ ୪ ଅଭିଯୁକ୍ତଙ୍କ ନାଁରେ ଏତଲା ଦେଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ । ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି ।

