ଗଞ୍ଜାମ :ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡା ଗ୍ରାମ ଉପକଣ୍ଠ ଲକ୍ଷ୍ମଣପଲ୍ଲୀରେ ଅମାନବୀୟ କାଣ୍ଡ। ଜଣେ ୯ ବର୍ଷର ନାବାଳିକାଙ୍କୁ ବୀଭତ୍ସ ଭାବେ ତଣ୍ଟିଚିପି ହତ୍ୟା କରାଯାଇଛି । ମୃତକ ହେଲେ ମଙ୍ଗୁଳୁ ମହାରଣାଙ୍କ ଝିଅ ଅର୍ଚ୍ଚନା ମହାରଣା। ତାଙ୍କ ଶବ ମାମୁଘର ବାରିପଟ ପାଇଖାନାରୁ ଜରିପାଲ ଘୋଡ଼ା ଅବସ୍ଥାରେ ଉଦ୍ଧାର ହୋଇଛି। ରଶିରେ ତାଙ୍କ ତଣ୍ଟିକୁ ଭିଡ଼ି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ତେବେ ଖୋଦ୍ ମାଇଁ ହିଁ ହତ୍ୟା କରିଥିବା ଚର୍ଚ୍ଚା ହେଉଛି।
ବୁଗୁଡା ବ୍ଳକ୍ କାନକୁଟୁରୁ ଗ୍ରାମର ଅର୍ଚ୍ଚନା ମୂଳବାସିନ୍ଦା । ମାମୁ ଘର ଗଣେଶ ମହାରଣାଙ୍କ ଘରକୁ ବୁଲି ଆସିଥିଲେ ।ଗତକାଲି ସକାଳ ୧୧ଟାରେ ଅର୍ଚ୍ଚନା ହଠାତ୍ ନିଖୋଜ ହୋଇଯାଇଥିଲେ | ପରିବାରବର୍ଗ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଥିଲେ। ରାତିରେ ଅର୍ଚ୍ଚନାଙ୍କ ଶବ ମାମୁ ଘର ବାରିପଟ ୨୦ ମିଟର ଦୂର ପାଇଖାନା ଘରୁ ମିଳିଥିବା ବେଳେ ବେକରେ ଦାଗ ଥିଲା ଓ ଶବକୁ ଜରିପାଲ ଘୋଡ଼ାଯାଇଥିଲା। ଭଞ୍ଜନଗର ଏସ୍ଡିପିଓ ଦୀପକ କୁମାର ମିଶ୍ର ସଦଳବଳେ ପହଞ୍ଚି ତଦନ୍ତ କରିଥିଲେ।

