ଜଗତସିଂହପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ : ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ନାବାଳିକା ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ବଢ଼ିବାରେ ଲାଗିଛି ନାରୀ ନିର୍ଯାତନା ଓ ମହିଳା ହିଂସା ମାମଲା। ଜଗତସିଂହପୁରେ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଗତକାଲି ସନ୍ଧ୍ୟାରେ ନାବାଳିକା ଜଣଙ୍କ ନିଜ ଦାଦାଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ବହୁ ସମୟଧରି ନାବାଳିକା ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ପରେ ସଂପୃକ୍ତ ନାବାଳିକାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗାଁ ପାଖରୁ ଉଦ୍ଧାର କରିଥିଲେ ପରିବାର ଲୋକ। ପରେ ତାଙ୍କୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଭତ୍ତି କରାଯାଇଥିଲା। ପୀଡିତାଙ୍କ ବାପା ଏ ନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ୨ ଜଣ ଯୁବକ ତାଙ୍କୁ ଉଠାଇନେଇ ଏଭଳି କାଣ୍ଡ ଭିଆଇଥିବା ପରିବାରଲୋକେ କହିଛନ୍ତି।

ଥାନାରେ ଏତଲା ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇଥିଲା। ଗତକାଲି ରାତି ତମାମ ଖୋଜାଖୋଜି ଚାଲିଥିଲା। ଜଗତସିଂହପୁର ଏସସିଙ୍କ ସୂଚନା ମୁତାବକ ଅଭିଯୁକ୍ତଙ୍କୁ ଧରିବାକୁ ତିନୋଟି ଟିମ୍ ଗଠନ କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନେର ଚଢ଼ାଉ କରାଯାଇଥିଲା। ଉଭୟଙ୍କୁ ଚିହ୍ନଟ କରାଯାଇଥିବା ଏସପି ସୂଚନା ଦେଇଥିବା ବେଳେ ଜଣଙ୍କୁ କଟକ ନିଆଳି କସର୍ଦ୍ଦା ଅଞ୍ଚଳକୁ କାବୁ କରାଯାଇଛି। ଖୁବଶୀଘ୍ର ଅନ୍ୟଜଣଙ୍କୁ ଧରାଯିବ। ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ସାଉଣ୍ଟିଫିକ୍ ଟିମ୍ ବହୁ ଗୁରୁତ୍ଵପୂର୍ଣ୍ଣ ସାମଗ୍ରୀ ଜବତ କରିଛି। ପୀଡ଼ିତା ଏବେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।