ନାବାଳିକାଙ୍କୁ ଗଣ ଦୁଷ୍କର୍ମ ପରେ ତାଳ ବରଡ଼ା ପତ୍ର ତଳେ ସଜ୍ଞାହୀନ ଅବସ୍ଥାରେ ଲୁଚାଇ ଦୁର୍ବୃତ୍ତ ଫେରାର

ଢେଙ୍କାନାଳ: ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରିବା ପରେ ତାଳ ବରଡ଼ା ପତ୍ର ତଳେ ସଜ୍ଞାହୀନ ଅବସ୍ଥାରେ ଲୁଚାଇ ଦୁର୍ବୃତ୍ତ ମାରିଲେ ଚମ୍ପଟ । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ହୋଇ ନଥିଲେ ବି ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ଅନୁସାରେ, ହିନ୍ଦୋଳ ଥାନା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକା ଘର ଆଗରେ ଖେଳୁଥିଲେ । ଏହି ସମୟରେ ନିକଟରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ଘରୁ କିଛି ବାହାର ଅଞ୍ଚଳର ଲୋକ ମଦ ପିଇ ବାହାରିଥିଲେ । ଏହାର କିଛି ସମୟ ପରେ ପରିବାର ଲୋକେ ଝିଅକୁ ନଦେଖି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଶେଷରେ ଗାଁ ପାଖ ଏକ ଗଛ ମୂଳରେ ପିଲାଟିକୁ ତାଳ ବରଡା ପତ୍ର ଘୋଡା ଅବସ୍ଥାରେ ଠାବ କରାଯାଇଥିଲା । ଉକ୍ତ ବାହାର ଅଞ୍ଚଳର ଦୁର୍ବୃତ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।