ଗୁଡ଼ି ଉଡ଼ା ହେଲା କାଳ: ଟ୍ରେନ ଧକ୍କାରେ ନାବାଳକ ମୃତ

ଭୁବନେଶ୍ବର: ସାଙ୍ଗଙ୍କ ସହ ଗୁଡ଼ି ଉଡାଇବାକୁ ଯିବା ହେଲା କାଳ । ସୂତାରୁ କଟି ଯାଇଥିବା ଗୁଡ଼ି ଆଣିବାକୁ ଯାଇ ଟ୍ରେନ୍ ଧକ୍କାରେ ନାବାଳକ ମୃତ । ଘଟଣା ଘଟିଛି ଭୁବନେଶ୍ବର ସହିଦନଗର ଅଞ୍ଚଳରେ । ମୃତ ନାବାଳକ ହେଲେ ଶହୀଦନଗର ଶାନ୍ତିପଲ୍ଲୀ ବସ୍ତିର ତପନ ପାତ୍ରଙ୍କ ୯ମ ଶ୍ରେଣୀରେ ପଢୁଥିବା ପୁଅ ସୂର୍ଯ୍ୟକାନ୍ତ ପାତ୍ର ।

ସୂଚନା ଅନୁସାରେ ସୂର୍ଯ୍ୟକାନ୍ତ ସାଙ୍ଗମାନଙ୍କ ସହ ଟ୍ରେନ ଲାଇନ୍ ପାର୍ଶ୍ବରେ ଗୁଡ଼ି ଉଡ଼ାଉଥିଲେ । ଏହି ସମୟରେ ଗୁଡ଼ିଟି ସୂତାରୁ କଟି ଟ୍ରେନ ଲାଇନ୍ ଅପର ପାର୍ଶ୍ବକୁ ଚାଲି ଯାଇଥିଲା । ଗୁଡିଟିକୁ ଆଣିବାକୁ ସୂର୍ଯ୍ୟକାନ୍ତ ରେଳ ଧାରଣା ପାର ହେଉଥିବା ବେଳେ ଟ୍ରାକରେ ଆସୁଥିବା ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ସୂର୍ଯ୍ୟକାନ୍ତଙ୍କ ମୃତ୍ୟୁ ଘଟିଥିଲା ।

ଜିଆରପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।