ପୁଣି ଆମେରିକାରେ ଫୁଟିଲା ଗୁଳି, ଜଣେ ମୃତ ପୋଲିସକର୍ମୀ ଆହତ

ୱାସିଂଟନଡିସି: ପୁଣି ଅଶାନ୍ତ ହେଲା ଆମେରିକା । ଓ୍ବାସିଂଟନ ଡିସିର ଜୁନିଟିନ୍ଥ ମ୍ୟୁଜିକ କନସର୍ଟରେ ଆଖିବୁଜା ଗୁଳିମାଡ଼ । ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ପୋଲିସ ଅଫିସର ଥିବା ସୂଚନା ରହିଛି ।  ହ୍ବାଇଟ ହାଉସ ଠାରୁ ମାତ୍ର ୩ କିମି ଦୂରରେ ଏହି ଗୁଳିକାଣ୍ଡ ଘଟିଥିବା ବେଳେ ଅଭିଯୁକ୍ତକୁ ଖୋଜୁଛି ପୋଲିସ । କେଉଁ କାରଣରୁ ଗୁଳିକାଣ୍ଡ ଘଟିଛି ତାହା ଜଣାପଡି ନାହିଁ  ।

ଆହତ ତିନି ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ମେଟ୍ରୋ ପଲିଟାନ ପୋଲିସ ମୁଖ୍ୟ ରବର୍ଟ  ଜେ. କହିଛନ୍ତି । ଗୁଳିକାଣ୍ଡର ଭିଡିଓ ଭାଇରାଲ ହେଉଛି  । ଗୁଳିମାଡ ବେଳେ ରାସ୍ତାରେ ଶୋଇପଡି ଜୀବନ ବଞ୍ଚାଉଥିବା ଅନେକ ଲୋକଙ୍କୁ ପୋଲିସ ସହାୟତା କରୁଥିବା ଦେଖିବାକୁ ମିଳୁଛି  । ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି  । କିଛି ଦିନ ମଧ୍ୟରେ ଆମେରିକାରେ ଗୁଳିକାଣ୍ଡ ନିତିଦିନିଆ ଘଟଣା ପାଲଟିଲାଣି  ।

ଗୁଳିକାଣ୍ଡ ଘଟଣା ବଢୁଥିବା ବେଳେ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ଦେଶ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ସେପଟେ ବନ୍ଧୁକ କ୍ରୟକୁ ନେଇ ଆମେରିକା ସରକାର ଆଇନରେ ପରିବର୍ତ୍ତନ କରିବାକୁ ଯୋଜନା ଚଳାଇଛନ୍ତି । କିଛି ଦିନ ପୂର୍ବରୁ  ଆଲାବାମା ସିଟିରେ ଗୁଳିକାଣ୍ଡ ଘଟି ଜଣେ ପ୍ରାଣ ହରାଇ ଥିବାବେଳେ ୨ ଜଣ ଆହତ ହୋଇଥିଲେ ।