ଏକତରଫା ପ୍ରେମର କରୁଣ ପରିଣତି, ନିର୍ଯାତନା ସହି ନପାରି ଛାତ୍ରୀଙ୍କ ଆତ୍ମହତ୍ୟା

ଖୋର୍ଦ୍ଧା: ଟାଙ୍ଗୀ ନିରାକାରପୁରରେ ନାବାଳିକା ଛାତ୍ରୀର ଆତ୍ମହତ୍ୟା । ନିର୍ଯାତନା ସହିନପାରି ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଏକତରଫା ପ୍ରେମରେ ବିଫଳ ହେବା ପରେ ପ୍ରେମିକ ଓ ତାର ପରିବାର ଲୋକ ନାବାଳିକାକୁ ନିର୍ଯାତନା ଦେଉଥିଲେ । ଏନେଇ ନିରାକାରପୁର ଥାନାରେ ନାବାଳିକା ଓ ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ।

ଉଭୟଙ୍କ ମଧ୍ୟରେ ହୋଇଥିଲା ଆପୋଷ ସମାଧାନ। ସମାଧାନ ପରେ ନିର୍ଯ୍ୟାତନା ବଢିଚାଲିଥିଲା । ଇପସିତା କଲେଜ ଯାଉଥିବା ବେଳେ ସଜତ ଶାହା ଓ ତାର ଭାଇମାନେ ବାଟରେ ଘାଟରେ କରୁଥିଲେ ହଇରାଣ। ଗତକାଲି ସଜତ ଶାହା ଇପସିତା ଘର ଦୁଆର ମୁହଁରେ ପହଞ୍ଚି ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିଲା ।

ଏସିଡ ପକାଇ ପୋଡି ଦେବାକୁ ଧମକ ଦେଇଥିଲା ବୋଲି ମୃତକର ମା’ରଂଜିତା ପ୍ରଧାନ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ନିରାକାରପୁର ଥାନାରେ ବାଲୁଗାଁ ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ପୋଲିସ ସଜତ ସାହା ପରିବାରର ମହିଳା ମାନଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ଥିବା ଜଣାପଡିଛି।