ବାପାଙ୍କ ଜୀବନ ରକ୍ଷା ପାଇଁ ନାବାଳିକ ପୁଅର ପିଟିସନ, ଲିଭର ଡୋନେଟ ପାଇଁ ମାଗିଲେ ଅନୁମତି

ନୂଆଦିଲ୍ଲୀ: ବାପାଙ୍କ ଜୀବନ ରକ୍ଷା ପାଇଁ ସୁପ୍ରିମକୋର୍ଟରେ ପୁଅର ପିଟିସନ । ଗୁରୁତର ଅସୁସ୍ଥ ବାପାଙ୍କୁ ଲିଭର ଡୋନେଟ କରିବାକୁ କୋର୍ଟଙ୍କ ଅନୁମତି ମାଗିଛି ନାବାଳକ ପୁଅ । ନାବାଳକଙ୍କୁ ଅଙ୍ଗଦାନ ପାଇଁ ଅନୁମତି ନଥିବାରୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଉତ୍ତରପ୍ରଦେଶର ଜଣେ ନାବାଳକ । ଆଜି ସର୍ବୋଚ୍ଚ କୋର୍ଟ ଏହି ପିଟିସନର ଶୁଣାଣି କରିବେ । ନାବାଳକଙ୍କ ପିଟିସନ ଉପରେ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି ।

ଆଜି ଶୁଣାଣି ବେଳେ ୟୁପି ସ୍ବାସ୍ଥ୍ୟ ସଚିବ କୋର୍ଟରେ ଉପସ୍ଥିତ ରହିବେ । ଜଷ୍ଟିସ ସଞ୍ଜୟ କ୍ରିଷ୍ଣନ କୌଲ ଓ ଜଷ୍ଟିସ ଅଭୟ ଏସ ଓକାଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିବେ । ମାମଲାର ଗୁରୁତ୍ବକୁ ଦୃଷ୍ଟିରେ ରଖି ତୁରନ୍ତ ଏହାର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ୟୁ. ୟୁ ଲଳିତ ।

ଏହାଛଡ଼ା ଶୁଣାଣି ପୂର୍ବରୁ ଆବେଦନକାରୀ ନାବାଳକଙ୍କ ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ନାବାଳକଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ବେଳେ ଲିଭର ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ। ପୁଅର ବୟସ ୧୭ ବର୍ଷ ହେଇଥିବାରୁ ଆଇନ ଅନୁସାରେ ସେ ଅଙ୍ଗଦାନ କରିପାରିବେ ନାହିଁ । ତେଣୁ କୋର୍ଟ ଏହି ପିଟିସନର ଶୁଣାଣି କରି ଅଙ୍ଗଦାନ ପାଇଁ ଅନୁମତି ଦେବାକୁ ପିଟିସନ ଦାଏର କରିଛନ୍ତି ନାବଳକ ।