ମୋବାଇଲ ଦେଖିବାକୁ ମାଆ ବାରଣ କରିବାରୁ ନାବାଳକ ପୁଅ କଲା ଆତ୍ମହତ୍ୟା

ରେଢ଼ାଖୋଲ: ଆଜିକାଲି ପିଲାଙ୍କୁ ମୋବାଇଲ କରିଛି ବାଇଆ । ଉଠିବାଠୁ ଶୋଇବା ପର୍ଯ୍ୟନ୍ତ ଖାଲି ମୋବାଇଲ ଆଉ ମୋବାଇଲ । ଯଦି କେହି ଏହାକୁ ନେଇ ବାରଣ କରୁଛନ୍ତି ତେବେ ସୃଷ୍ଟି ହେଉଛି ମହାଭାରତ । ମୋବାଇଲ ନମିଳିଲେ ନାନା ପ୍ରକାର ସମସ୍ୟା ସୃଷ୍ଟି କରୁଛନ୍ତି । ଏପରିକି ଆତ୍ମହତ୍ୟା ବି କରିବାକୁ ପଛାଉନାହାନ୍ତି । ଏମିତି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ । ମୋବାଇଲ ଦେଖୁଥିବା ନାବାଳକ ପୁଅକୁ ମାଆ ଗାଳି କରିବାରୁ ବେକରେ ରଶି ଲଗାଇ ଝୁଲି ପଡ଼ିଲା ୧୩ ବର୍ଷର ବାଳକ ।

ଅଭିଯୋଗ ଅନୁସାରେ, ରେଢ଼ାଖୋଲ ସହରର ଆମ୍ବେଦକର ନଗରରେ ମାଆ, ବାପାଙ୍କ ସହ ୧୩ ବର୍ଷର ଆର୍ୟନ ମୁଖୀ ରୁହନ୍ତି । ବୟସ କମ ହୋଇଥିଲେ ବି ସେ ମୋବାଇଲ ଅଭ୍ୟସ୍ତ ହୋଇ ଯାଇଥିଲେ । ଏପରିକି ଟିକିଏ ସମୟ ପାଇଁ ବି ମୋବାଇଲ ଛାଡୁ ନଥିଲେ । ଯାହାକୁ ନେଇ ତାଙ୍କ ମାଆ ତାଙ୍କୁ ଗାଳିଗୁଲଜ କରିବା ସହ ମୋବାଇଲ ନେଇଯାଇଥିଲେ ।

ଏଥିରେ ଆର୍ଯନ ଉତକ୍ଷିପ୍ତ ହୋଇଯାଇଥିଲେ । ହାତରୁ ମୋବାଇଲ ଚାଲିଯିବା ପରେ ଭୁଲି ଯାଇଥିଲେ ହିତାହିତ ଜ୍ଞାନ । ଆଉ ଜୀବନ ହାରିବା ଭଳି ନିଷ୍ପତ୍ତି ନେଇଯାଇଥିଲେ । ଘର ନିକଟରେ ଥିବା ଏକ ଗଛରେ ଦଉଡ଼ି ଲଗାଇ ଝୁଲି ପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲକୁ ନେଇଥିଲ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।