ରାଜଧାନୀରେ ଡ୍ରେନପାଣିରେ ଭାସିଗଲେ ନାବାଳକ

ଭୁବନେଶ୍ୱର: ରାଜଧାନୀରେ ଅଘଟଣ । ଶତାବ୍ଦୀନଗରରେ ଡ୍ରେନ ପାଣିରେ ଭାସିଗଲେ ନାବାଳକ ଛାତ୍ର । ଟ୍ୟୁସନ୍ ଯାଉଥିବା ବେଳେ ଡ୍ରେନ୍ ପାଣିରେ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରା । ଶତାବ୍ଦୀ ନଗର ମୁଖ୍ୟ ଡ୍ରେନରେ ସେ ଭାସିଯାଇଛନ୍ତି । ଆଜି ଦିନ ପ୍ରାୟ ଦୁଇଟା ବେଳେ ବରମୁଣ୍ଡା ପାଲାମଣ୍ଡପ ଅଞ୍ଚଳ ନିଜ ଘରୁ ଶତାବ୍ବୀ ନଗରକୁ ଟ୍ୟୁସନ୍ ଯାଉଥିଲେ ଜ୍ୟୋତି । ତେବେ ଶତାବ୍ଦୀନଗରରେ ବର୍ଷା ପାଣି ଯୋଗୁ ପ୍ରଖର ସ୍ରୋତ ଥିବାରୁ ଛାତ୍ର ଜଣକ ସାଇକେଲ ସହ ଖସି ଯାଇଥିଲେ । ଦୁଇ ଜଣ ଯୁବକ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା ।

ଖୋଜାଖୋଜି କରୁଛନ୍ତି ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଲୋକ । ହେଲେ ସଂଧ୍ୟା ଯୋଗୁ ତାଙ୍କୁ ଠାବ କରିବା ସମ୍ଭବ ହୋଇନାହିଁ । ସେପଟେ ପୁଅ ନିଖୋଜକୁ ନେଇ ପରିବାରରେ ଖେଳିଯାଇଛି ଦୁଃଖ । ପୁଅକୁ ଆଣି ଦେବାକୁ ମା’ ସମସ୍ତଙ୍କୁ ନେହୁରା ହେଉଛନ୍ତି । ଏହି ସମୟରେ ନିଖୋଜ ଜ୍ୟୋତିଙ୍କ କୁନି ଭଉଣୀ ମା’ଙ୍କ ଲୁହ ପୋଛି ଦେଉଥିବା ଦୃଶ୍ୟ ସମସ୍ତଙ୍କ ହୃଦୟକୁ ଆନ୍ଦୋଳିତ କରିଛି । ସମସ୍ତେ ଜ୍ୟାତିଙ୍କୁ ପାଇବା ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ମୁକୁଳା ଡ୍ରେନ୍‌ ଯୋଗୁ ୨୦୧୯ରେ ନୂଆପଲ୍ଲୀ ଅଞ୍ଚଳରେ ଏଭଳି ଅଘଟଣ ଘଟିଥିଲା ।

Leave a Reply