spot_img

Latest Posts

ନାବାଳକକୁ ଉଠାଇ ନେଇ ନିସ୍ତୁକ ମାଡ଼ ଭିଡିଓ ଭାଇରାଲ, ୭ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ନାବାଳକକୁ ଉଠାଇ ନେଇ ନିସ୍ତୁକ ମାଡ଼ ଭିଡିଓ ଭାଇରାଲ, ୭ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ନନ୍ଦିଘୋଷ ବ୍ୟୁରା: ଅସୁରକ୍ଷିତ ରାଜଧାନୀ । ଦିନ ଦ୍ବିପ୍ରହରରେ ଚାଲିଛି ଗୁଣ୍ଡାରାଜ । ନାବାଳକଙ୍କୁ ଅପହରଣ କରି ନିସ୍ତୁକ ମାଡ଼ । ଜୀବନରୁ ମାରି ଦେବାକୁ ଧମକ । ନା ପରିବାରର ପାଖରେ ନା ପୋଲିସ ପାଖରେ ଖବର । ନାବାଳକକୁ ନିସ୍ତୁକ ପିଟିବା ପରେ ବିନା ଭୟରେ ବୁଲୁଥିଲେ ଅସାମାଜିକ ଯୁବକ ଦଳ । ମାଡ଼ ବେଳର ଦୃଶ୍ୟ କରିଥିଲେ ରେକର୍ଡ । ଭିଡିଓ ଭାଇରାଲ ହେବା ପରେ ତତ୍ପର ହେଲା ପୋଲିସ । ୭ ଜଣଙ୍କୁ ଗିରଫ କରି ଚଲାଇଛି ତଦନ୍ତ ।

ଘଟଣା ରାଜଧାନୀ ଭୁବନେଶ୍ବର ଧଉଳୀ ଥାନା ଅଞ୍ଚଳର । ଗୋପୀନାଥପୁର କୃଷ୍ଣପୁର ଅଞ୍ଚଳରୁ ଜଣେ ୧୪ ବର୍ଷିୟ ନାବାଳକଙ୍କୁ ଉଠାଇ ନେଇଥିଲେ କିଛି ଯୁବକ । ଭିଡିଓରେ ଦେଖିବାକୁ ମିଳଛି, ନାବାଳକ ଜଣଙ୍କ ହାତଗୋଡ଼ ଧରି ଛାଡି ଦେବାକୁ ନେହୁରା ହେଉଛି । ହେଲେ, ରାକ୍ଷସ ପାଲଟି ଯାଇଥିଲେ ଏହି ଅସାମାଜିକ ଯୁବକମାନେ । ଆରମ୍ଭ କରିଦେଇଥିଲେ ମାଡ଼ । କିଏ ଚାପୁଡ଼ଶ ମାରୁଥିଲା ତ କିଏ ବିଧା । କିଏ ଗୋଇଠା ମାରୁଥିଲା ତ କିଏ ହାତ ବଳା ମାରି ମୁଣ୍ଡ ଫଟାଇବାକୁ ଚେଷ୍ଟା କରୁଥିଲା । ଏତିକିରେ ବି ସେମାନଙ୍କ ମନ ଶାନ୍ତି ହୋଇ ନଥିଲା । ହାତଗୋଡ଼ରେ କାମ ସାରିବା ପରେ ବାଡିରେ ପ୍ରହର ଆରମ୍ଭ କରି ଦେଇଥିଲେ । ପିଲାଟି ଯେତେ ନେହୁରା ହେଲେ ବି ସେମାନେ ତାକୁ ଛାଡି ନଥିଲେ ।

ସୂଚନା ଅନୁସାରେ, ପୂର୍ବ ଶତ୍ରୁତାରୁ ନାବାଳକ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ମାଡ଼ ମାରିଥିବା ଯୁବକମାନେ ଜୀବନରୁ ମାରି ଦେବାକୁ ଧମକ ଦେଇଥିବାରୁ ପିଲାଟି ଘଟଣା ସମ୍ପର୍କରେ ଘରେ କହି ନଥିଲା । ପରେ ଉକ୍ତ ଭିଡିଓଟିକୁ କେହି ଜଣେ ସୋସିଆଲ ମିଡ଼ିଆରେ ଭାଇରାଲ କରି ଦେଇଥିଲା । ଏହାପରେ ପୋଲିସ ତତ୍ପରତା ଦେଖାଇ ତନାଘନା ଆରମ୍ଭ କରିବା ସହ ୭ ଜଣଙ୍କୁ ଗିରଫ କରିଛି ।

Latest Posts

Don't Miss