କ୍ରିକେଟ ବ୍ୟାଟରେ ନାବାଳକଙ୍କୁ ଆକ୍ରମଣ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ବର: ସଂଘବଦ୍ଧ ଭାବେ ଜଣେ ନାବାଳକଙ୍କୁ କ୍ରିକେଟ ବ୍ୟାଟିରେ ପିଟି ପିଟି ମାରିଦେଲେ । ଘଟଣା ରାଜଧାନୀ ଭୁବନେଶ୍ବରର । ୩ ମାସ ତଳେ ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳରେ ପ୍ରକାଶ ୧୭ ବର୍ଷିୟ କୁମାର ସାହୁଙ୍କୁ କ୍ରିକେଟ ବ୍ୟାଟରେ ପିଟି ପିଟି ଏକାଧିକ ଯୁବକ ଗୁରୁତର କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି କୁମାରଙ୍କ ମୃତ୍ୟୁ ଘଟିଛି ।

ଘଟଣାରେ ଖଣ୍ଡଗିରି ଥାନା ପୋଲିସ ହତ୍ୟା ଉଦ୍ୟମ ଦଫାରେ ଏକ ମାମଲା ରୁଜୁ କରିବା ସହ ଗତ ଜୁଲାଇ ୧୦ ତାରିଖରେ ୨ ଜଣଙ୍କୁ ଗିରଫ କରିଥିଲା । ହେଲେ ଏହାରି ଭିତରେ ଅନ୍ୟ ଅଭିଯୁକ୍ତମାନେ ହାଇକୋର୍ଟରୁ ଆଗୁଆ ଜାମିନ ହୋଇ ସାରିଛନ୍ତି ।  ପୋଲିସ ଜାଣିଶୁଣି ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ ନକରି ଆଗୁଆ ଜାମିନରେ ଯିବା ପାଇଁ ସୁଯୋଗ ଦେଇଥିବା ମୃତ ନାବାଳକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି ମୃତ୍ୟୁ ପୂର୍ବରୁ ମୃତକର ଶେଷ ଜମାନବନ୍ଦୀ ମଧ୍ୟ ପୋଲିସ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି ।

ନ୍ୟାୟ ପ୍ରଦାନ ଦାବିରେ ଥାନା ଆଗରେ ପରିବାର ଲୋକଙ୍କ ସମେତ ସ୍ଥାନୀୟ ବାସିନ୍ଦା ଧାରଣା ଦେଇଛନ୍ତି । ପୋଲିସ ପରିବାର ଲୋକଙ୍କୁ ବୁଝାଶୁଝା କରିଛି । ମାମଲା ଏବେ ହତ୍ୟା ମାମଲା ଭାବେ ରୁଜୁ ହେବ ବୋଲି ପୋଲିସ କହିଛି । ଯେଉଁମାନେ ଦୋଷୀ ସେମାନଙ୍କୁ ଗିରଫ କରିବା ପାଇଁ କୋର୍ଟଙ୍କ ଅନୁମତି ନିଆଯିବ ବୋଲି ପୋଲିସ କହିଛି ।