ଜଣକ ପରେ ଜଣେ ନେତା ଖୋଲିଲେଣି ତୁଣ୍ଡ, ମୋହନଙ୍କ ଟିମରେ କୁହୁଳିଲାଣି ନିଆଁ

ଭୁବନେଶ୍ବର : ବର୍ଷ ପୂର୍ତ୍ତି ପୂର୍ବରୁ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ! ୬ଟି ମନ୍ତ୍ରିପଦ ପାଇଁ ଆଶାୟୀଙ୍କ ଲମ୍ବା ତାଲିକା । ଜଣକ ପରେ ଜଣେ ନେତା ଖୋଲିଲେଣି ତୁଣ୍ଡ । ମୋହନଙ୍କ ଟିମରେ କୁହୁଳିଲାଣି ନିଆଁ । ବିଜେପି ସରକାର ଗଠନର  ୧୦ମାସ ପରେ ବି ଅଧାଗଢା ମନ୍ତ୍ରିମଣ୍ଡଳ । ମନ୍ତ୍ରିମଣ୍ଡଳରେ ୬ଟି ଆସନ ଖାଲିଥିବାରୁ ଏହି ସ୍ଥାନ ମୁଖ୍ୟମନ୍ତ୍ରୀ ପୂରଣ କରିବେ କି ନାହିଁ ତାହାକୁ ନେଇ କିଛି ଦିନର ନିରବତା ପରେ ବିଜେପି ବିଧାୟକମାନେ ପୁଣି ମୁହଁ ଖୋଲିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରିମଣ୍ଡଳରେ ସାମିଲ ଥିବା ଅନେକ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ମନ୍ତ୍ରୀମାନେ ଭାରାକାନ୍ତ । ଦଳର ବରିଷ୍ଠ ବିଧାୟକ ପ୍ରକାଶ ସୋରେନଙ୍କ ଯୁକ୍ତି ହେଉଛି ୬ ମନ୍ତ୍ରିପଦ ପୂରଣ ହେବାର ଆବଶ୍ୟକ ରହିଛି । ସେହିପରି ବହୁ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ଆବଶ୍ୟକ ଅନୁସାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମାସକ ମଧ୍ୟରେ ହେବା ଚର୍ଚ୍ଚା ହେଉଥିବା ବିଜେପି ବିଧାୟକ କହିଛନ୍ତି । ବରିଷ୍ଠ ବିଧାୟକଙ୍କ ସ୍ବର ସହ ସ୍ବର ମିଳାଇଛନ୍ତି ଦଳର ଅନ୍ୟକିଛି ବିଧାୟକମାନେ । ଜଣକ ପରେ ଜଣେ ବିଜେପି ବିଧାୟକ ମନ୍ତ୍ରୀ ପଦ ପୂରଣ ନେଇ ମୁହଁ ଖୋଲିବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ପାଓ୍ବାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସେପଟେ ମନ୍ତ୍ରିମଣ୍ଡଳରେ ଖାଲିପଡିଥିବା ୬ଟି ଆସନ ପାଇଁ କିଛି ଦିନର ନିରବତା ପରେ ବିଜେପିର ବିଧାୟକମାନେ ମୁହଁ ଖୋଲିଛନ୍ତି । ବିଜେପି ଅନ୍ଦର ମହଲର ଚର୍ଚ୍ଚା ଅନୁସାରେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ୨ଜଣ ମନ୍ତ୍ରୀଙ୍କୁ ବାଦ ଦେଇ କିଛି ନୂଆ ମୁହଁକୁ ମନ୍ତ୍ରିମଣ୍ଡଳରେ ସାମିଲ କରିପାରିନ୍ତି । ଏହି ତାଲିକାରେ ଅଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଅମର ନାୟକ, ବାବୁ ସିଂହ, ରଘୁରାମ ମାଛ, ମାନସ ଦତ୍ତ, ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ନାଁ ନେଇ ଚାଲିଛି ବିଚାର ବିମର୍ଶ। ରାଜନୈତିକ ସମୀକ୍ଷକଙ୍କ ଆକଳନ ହେଉଛି ମନ୍ତ୍ରିପଦ ପାଇଁ ଅଧିକ ଆଶାୟୀ ଥିବାରୁ ଅଙ୍କ ଛିଣ୍ଡୁନାହିଁ । ତେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ କି ନହେବ ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର ବୋଲି ବିଜେପି ବିଧାୟକ ଅମର ନାୟକ କହିଛନ୍ତି । ମୋହନଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବିଜେପି ଅନ୍ଦର ମହଲରେ ସାନି କସରତ ଆରମ୍ଭ ହୋଇଥିବା ବେଳେ କାହାକୁ କେମିତି ଦଳ ଥଇଥାନ କରାଯିବ ସେ ଚିନ୍ତାରେ ବିଜେପିର ଶୀର୍ଷ ନେତୃତ୍ବ ।