ରାଜ୍ୟରେ ଜାରି ରହିଛି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ବଣ୍ଟନ ସସପେନ୍ସ

ଭୁବନେଶ୍ବର : ବିଜେପିରେ ଛିଡୁନି ଅଙ୍କ, ହୋଇପାରୁନି ନିଷ୍ପତ୍ତି। ଯାହାକୁ ନେଇ ଓଡ଼ିଶାରୁ ଦିଲ୍ଲୀ ଯାଏ ଜାରି ରହିଛି କସରତ । ନାନା ଚର୍ଚ୍ଚା ଓ ସସପେନ୍ସ ଭିତରେ ବିଳମ୍ବ ହୋଇଛି ବିଜେପିର ନିଗମ ବଣ୍ଟନ ଓ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ଦିଲ୍ଲୀ ଗସ୍ତ କରୁଥିବା ବେଳେ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ବଣ୍ଟନ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ଖୋଦ ବିଜେପି ବିଧାୟକ। ଦଳୀୟ ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ କହିବା କଥା, ବିଳମ୍ବ ହେଉଛି ସମ୍ପ୍ରସାରଣ। ହେଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ବିଭିନ୍ନ ପ୍ରସଙ୍ଗରେ ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା କରୁଛନ୍ତି। ଯାହା ନିଷ୍ପତ୍ତି ନିଆଯିବ ତାହା ସଭିଁଏ ଜାଣିବେ। ବିଧାୟକ ଟଙ୍କଧର ତ୍ରିପାଠୀ ଓ ଦୁଷ୍ମନ୍ତ ସ୍ବାଇଁଙ୍କ ମତ ହେଉଛି, ନିଗମ ଓ ମନ୍ତ୍ରିମଣ୍ଡଳ ଛଡା ରାଜ୍ୟର ବିକାଶ ପାଇଁ ବାରମ୍ବାର ଦିଲ୍ଲୀ ଗସ୍ତ ହେଉଛି। ଏନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ନିଗମ ଓ ମନ୍ତ୍ରିମଣ୍ଡଳ ବାବଦରେ ଦଳ ଉଚିତ ସମୟରେ ଉଚିତ ନିଷ୍ପତ୍ତି ନେବ ବୋଲି ଉଭୟ କହିଛନ୍ତି।

ସେପଟେ ଅଧା ଗଢ଼ା ମନ୍ତ୍ରିମଣ୍ଡଳ ଓ ବହୁପଦବୀ ଖାଲି ପଡିବାକୁ ନେଇ ବିଜେପିକୁ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଦେଢ଼ ବର୍ଷ ହେବ ବିଜେପି ଶାସନରେ ଛିଡୁନି ଓଡ଼ିଆ ଅସ୍ମିତା ଅଙ୍କ। ସେଥିପାଇଁ ବାରମ୍ବାର ଦିଲ୍ଲୀ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ । ନେଇ ପାରୁନାହାନ୍ତି ନିଗମ ଓ ମନ୍ତ୍ରିମଣ୍ଡଳ ନିଷ୍ପତ୍ତି। ଦିଲ୍ଲୀରେ ଓଡ଼ିଆ ଅସ୍ମିତା କଳି ଚାଲିଥିବାରୁ ଶାସକ ଦଳ କୌଣସି  ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରୁନି ବୋଲି କହିଛନ୍ତି ଅରୁଣ। ସେହିପରି ବିଜେପି ଦ୍ବନ୍ଦ୍ବରେ ଥିବାରୁ ରାଜ୍ୟ ବିଜେପି କୌଣସି ନିଷ୍ପତ୍ତି ନେଇପାରୁନଥିବା କହିଛନ୍ତି ରାଜନୈତିକ ସମୀକ୍ଷକ। ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ ଜଣ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରିବେ । ୧୫ ମାସ ହେବ ୬ଟି ମନ୍ତ୍ରୀ ପଦ ଖାଲିପଡିଛି । ସେହିପରି ଅଧିକାଂଶ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ଚାପଗସ୍ତ ରହୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ପରିଷଦ ଓ ନିଗମ ବଣ୍ଟନ ବି ବିଜେପି ନେତୃତ୍ବ ପାଇଁ କଣ୍ଟା ସାଜିଛି । ବହୁ ଆଶାୟୀ ଥିବାରୁ ଓଡ଼ିଶାରୁ ଦିଲ୍ଲୀ ଯାଏ ଦଳୀୟ ନେତୃତ୍ବ ଜାରି ରଖିଛନ୍ତି କସରତ। ଯାହାକୁ ନେଇ ବିଜେପି ଆଶାୟୀଙ୍କ ମନରେ ବଢ଼ିଛି ଉତ୍କଣ୍ଠା।