ମେ’ ୨୯ରେ ନବୀନ ସରକାରଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି, ରାଜ୍ୟବାସୀଙ୍କୁ ସରକାର ଦେବେ ସଫଳତାର ହିସାବ

ଭୁବନେଶ୍ୱର: ମେ ୨୯, ୨୦୨୩ । ନବୀନ ସରକାରଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି । ଏଥର ରାଜ୍ୟବାସୀଙ୍କୁ ସଫଳତାର ହିସାବ ଦେବେ ସରକାର । କ୍ରମାଗତ ଭାବେ ବିଜେଡିକୁ ରାଜ୍ୟବାସୀ ଆଶୀର୍ବାଦ କରିଚାଲିଥିବାରୁ ସରକାରଙ୍କୁ ଏହା ଅଧିକ ଉତ୍ତରଦାୟୀ କରିଛି । ଜନ୍ମଠାରୁ ମୃତ୍ୟୁ ଯାଏଁ ସରକାର ଅନେକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସାଢ଼େ ଚାରି କୋଟିଙ୍କ ସେବାରେ ଏହା କାର୍ଯ୍ୟକାରୀ ହେଉଛି । ତେବେ ଶାସନ ବ୍ୟବସ୍ଥାରେ ଜନ ଭାଗିଦାରୀକୁ ସର୍ବଦା ଗୁରୁତ୍ୱ ଦେଇ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ ବିଭାଗର ସଫଳତା ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚତୁର୍ଥ ବର୍ଷ ପୂର୍ତ୍ତିର ପୂର୍ବରୁ ଆସନ୍ତା ମେ’ ୨୨ ତାରିଖରୁ ବିଭିନ୍ନ ବିଭାଗର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ସମୀକ୍ଷା ବୈଠକରେ ବିଭାଗୀୟ ମନ୍ତ୍ରୀମାନେ ନିଜ ବିଭାଗର ଅନୂନ୍ୟ ୫ଟି ପ୍ରମୁଖ ସଫଳ କାର୍ଯ୍ୟର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହାପୂର୍ବରୁ ମନ୍ତ୍ରୀମାନେ ନିଜସ୍ତରରେ ବିଭାଗୀୟ ଅଧିକାରୀଙ୍କ ସହ ନିଜ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ମେ ୨୨ ତାରିଖରେ କୃଷି ଏବଂ କୃଷକ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ହେବ। ସେହିପରି ୨୩ ତାରିଖରେ ପୂର୍ତ୍ତ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ୨୪ରେ ପଞ୍ଚାୟତିରାଜ, ବାଣିଜ୍ୟ ଓ ପରିବହନ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସମୀକ୍ଷା ବୈଠକ ହେବ, ୨୫ରେ ଜଳସମ୍ପଦ, ଉଚ୍ଚ ଶିକ୍ଷା, ଯୋଜନା ଏବଂ ସଂଯୋଜନ ବିଭାଗ, ୨୬ରେ ଗୃହ ଓ ନଗର ଉନ୍ନୟନ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ରିପୋର୍ଟ କାର୍ଡ ଦେବେ। ସେହିପରି ୨୭ ତାରିଖରେ ମିଶନ ଶକ୍ତି, ଦକ୍ଷତା ବିକାଶ, ଶ୍ରମ ଏବଂ ନିୟୋଜନ ବିଭାଗର ବୈଠକ ଧାର୍ଯ୍ୟ ହୋଇଥିବା ବେଳେ ୨୯ ତାରିଖରେ ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଓ ଗଣଶିକ୍ଷା ବିଭାଗର ବୈଠକ ଅନୁଷ୍ଠିତ ହେବ। ସେହିଭଳି ୩୦ ତାରିଖରେ ଏସିଏସଟି ଏବଂ ଏସି ଉନ୍ନୟନ, ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ, ୩୧ ତାରିଖରେ କ୍ରୀଡ଼ା ଏବଂ ଯୁବସେବା, ମହିଳା ଓ ଶିଶୁ ବିକାଶ, ଶକ୍ତି ବିଭାଗର ବୈଠକ ଅନୁଷ୍ଠିତ ହେବ। ସେହିପରି ଜୁନ୍ ପହିଲାରେ ପର୍ଯ୍ୟଟନ ଏବଂ ସାମାଜିକ ସଶକ୍ତିକରଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି ।