ଜଗନ୍ନାଥଙ୍କ ନାଁ ଶୁଣି କଂସ ମହାରାଜଙ୍କ ରାଗ ପଞ୍ଚମ, ମନ୍ତ୍ରୀଙ୍କୁ ୭୦ ଲକ୍ଷ ସ୍ବର୍ଣ୍ଣମୁଦ୍ରା ଦଣ୍ଡ

ବରଗଡ଼: ବରଗଡ଼ରେ ଚାଲିଛି କଂସ ମହାରାଜଙ୍କ ରାଜୁତି । ଯାହା କଂସ ମହାରାଜ ଚାହିଁବେ ସେଇଆ ହେବ । ତାଙ୍କୁ ଭଲ ଲାଗିବା ଭଳି କଥା କହିବାକୁ ପଡ଼ିବ । ଆଉ ତାଙ୍କ ଆଗରେ ଶ୍ରୀକୃଷ୍ଣଙ୍କ ନାମ ଛାଡ଼ନ୍ତୁ ତାଙ୍କ ଅବତାର ପ୍ରଭୁ ଜଗନ୍ନାଥଙ୍କ ନାମ ମଧ୍ୟ ନେଇ ପାରିବେ ନାହିଁ । କାରଣ କଂସଙ୍କ ମତରେ କୃଷ୍ଣ ଓ ଜଗନ୍ନାଥ ଏକ । ହେଲେ କଂସ ମହାରାଜଙ୍କ ଆଗରେ ମହାପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ଭୁଲ କରିଦେଲେ ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ । ଜଗନ୍ନାଥଙ୍କ ନାଁ ଶୁଣି କଂସ ମହାରଜ କ୍ରୋଧିତ ହେବା ସହ ମନ୍ତ୍ରୀଙ୍କୁ ୭୦ ଲକ୍ଷ ସ୍ବର୍ଣ୍ଣମୁଦ୍ରା ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଧନୁଯାତ୍ରାର ପଞ୍ଚମ ଦିନରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଅତିଥି ହୋଇଯାଇଥିଲେ । ଏଥିପାଇଁ କଂସ ମହାରାଜ ଯଥାରିତ ସମ୍ମାନ ଦେଇଥିଲେ । ହେଲେ କଂସ ମହାରାଜଙ୍କ ସମ୍ମୁଖରେ ମନ୍ତ୍ରୀ ବରଗଡ଼ରୁ ପୁରୀ ଧାମକୁ ଜଗନ୍ନାଥ ଏକ୍ସପ୍ରେସ ଚଳିବା ବିଷୟ ଜନସାଧରଣଙ୍କୁ ଅବଗତ କରିଥିଲେ । ମନ୍ତ୍ରୀ ବାରମ୍ବାର ଜଗନ୍ନାଥ ନାମ ଉଚ୍ଚାରଣ କରିଥିବାରୁ କ୍ଷୁବ୍ଧ ହୋଇଥିଲେ ମହାରାଜ । କଂସ ମହାରାଜ ଜଣେ ଶିବ ଭକ୍ତ । ଆଉ ଜଗନ୍ନାଥ ଓ କୃଷ୍ଣ ଏକ ଓ ଅଭିନ୍ନ । ତେବେ କଂସ ଶ୍ରୀକୃଷ୍ଣଙ୍କୁ ମାରିବାକୁ ଗୋଟାଏ ପରେ ଗୋଟିଏ ଷଡ଼ଯନ୍ତ୍ର କରିଚାଲିଥିବା ବେଳେ ସେହି ଜଗନ୍ନାଥଙ୍କ ପ୍ରଶଂସା ମାନେ କୃଷ୍ଣଙ୍କ ପ୍ରଶଂସା । ବାରମ୍ୱାର ନାମ ଉଚ୍ଚାରଣରେ କ୍ଷୁବ୍ଧ ହୋଇ ୭୦ ଲକ୍ଷ ସ୍ଵର୍ଣ୍ଣ ମୁଦ୍ରା ଗଣିବାକୁ ଆଦେଶ ଦେଇ ମନ୍ତ୍ରୀ ରିତା ସାହୁଙ୍କୁ ଦଣ୍ଡିତ କରିଛନ୍ତି ମହାରାଜ କଂସ ।