ସାର୍ବଜନୀନ ହେବ କି ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ?

ନନ୍ଦିଘୋଷ ବ୍ୟୁରୋ: ବର୍ଷେ ପୂର୍ତ୍ତି ପୂର୍ବରୁ ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଇଛନ୍ତି । ସଫଳତା ଓ ବିଫଳତାକୁ ମାପଦଣ୍ଡ କରି ମନ୍ତ୍ରୀଙ୍କ ଦକ୍ଷତା ମାପିବ ଦଳ । ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ଼ରେ ସଫଳତା ଅପେକ୍ଷା ବିଫଳତାର ଲମ୍ବା ତାଲିକା ଜଳଜଳ କରି ଦିଶୁଛି ବୋଲି ବିଜେଡି ଅଭିଯୋଗ କରିଛି। ମନ୍ତ୍ରୀମାନେ ନିଜର ରିପୋର୍ଟକୁ ସର୍ବସାଧାରଣ କରିବାକୁ ବିଜେଡି ବିଧାୟକ ଗୌତମ ବୃଦ୍ଧ ଦାସ ଦାବି କରିଛନ୍ତି । କଂଗ୍ରେସ ମଧ୍ୟ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡକୁ ନେଇ ପ୍ରଶ୍ନ ଉଠାଇଛି । ବିଜେପି କହିଛି ମୁଖ୍ୟମନ୍ତ୍ରୀ ମନ୍ତ୍ରିମାନଙ୍କର ରିପୋର୍ଟ କାର୍ଡକୁ ତର୍ଜମା କରିବେ।
ସାର୍ବଜନୀନ ହେବ କି ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ? ଦାବି ଉଠାଇଲା ବିଜେଡି, ସ୍ବର ମିଳାଇଲା କଂଗ୍ରେସ । ବିଜେପି କହିଲା ମୁଖ୍ୟମନ୍ତ୍ରୀ କରିବେ ତର୍ଜମା । ତେଜିଲା ରିପୋର୍ଟ କାର୍ଡ ପଲିଟିକ୍ସ । ଚର୍ଚ୍ଚାରେ ମନ୍ତ୍ରିମାନଙ୍କର ରିପୋର୍ଟ କାର୍ଡ । ବର୍ଷେ ଭିତରେ କେଉଁ ମନ୍ତ୍ରୀଙ୍କ କଣ ପ୍ରଦର୍ଶନ ତାହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି । ମନ୍ତ୍ରୀମାନେ ସେମାନଙ୍କ ରିପୋର୍ଟ କାର୍ଡରେ କଣ ଉଲ୍ଲେଖ କରିଛନ୍ତି ତାହା ସାର୍ବଜାନୀନ କରାଯାଉ ବୋଲି ବିଜେଡି ଦାବି କରିଛି । ବିଜେଡି ବିଧାୟକ ଗୌତମ ବୃଦ୍ଧ ଦାସ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରିମାନେ ରିପୋର୍ଟ କାର୍ଡରେ ସଫଳତା ସହ ବିଫଳତାକୁ ବି ସ୍ଥାନ ଦେବା ଉଚିତ ।
ବର୍ଷେ ଭିତରେ ରାଜ୍ୟର ଅପାରଗ ସରକାର ଚାଲିଛି ବୋଲି ଲୋକେ ଅନୁଭବ କରିଛନ୍ତି । ଓଡିଶାର ବିକାଶ ସଂପୂର୍ଣ୍ଣ ଠପ ହୋଇଥିବା ବେଳେ ମନ୍ତ୍ରିମାନେ ନିଜ ବିଭାଗ ସମ୍ଭାଳିବାରେ ବିଫଳ ହୋଇଛନ୍ତି । ରାଜ୍ୟପାଳଙ୍କ ପୁଅ ଓଡିଆ ଅଧିକାରୀଙ୍କୁ ମାଡ ମାରିବା, ଚିକିଟି ମଦ ମୃତ୍ୟୁ ମାମଲା, ଭରତପୁର ଥାନା, ବଡ ଠାକୁର ପଡିଯିବା ଘଟଣାର ରିପୋର୍ଟ କୁଆଡ଼େ ଗଲା ବୋଲି ବିଜେଡି ପ୍ରଶ୍ନ କରିଛି । ସେହିପରି ଧାନର କଟନୀ ଛଟନୀ, ଦରଦାମ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, କଲେଜ ନିର୍ବାଚନ କରିବାରେ ବିଫଳ, ଆଦି ପ୍ରସଙ୍ଗ ମନ୍ତ୍ରୀମାନଙ୍କ ଦକ୍ଷତା ପ୍ରମାଣିତ କରିଛି । ଏହାସହ କୋଟିଆ ସୀମା ବିବାଦ, ପୋଲାଭରମ, ମହାନଦୀ ଆଦି ପ୍ରସଙ୍ଗରେ ପୂରା ଚୁପ ସରକାର । ବର୍ଷେ ହେବ ଅଧିକାଂଶ ମନ୍ତ୍ରୀ ବିଭାଗୀୟ ବଜେଟ ଅର୍ଥକୁ ଖର୍ଚ୍ଚ ନକରିବା ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ ।
ସେପଟେ ବିଜେପି କହିଛି, ବର୍ଷେ ହେବ ମନ୍ତ୍ରୀମାନେ କଣ କରିଛନ୍ତି ତାହା ମୁଖ୍ୟମନ୍ତ୍ରୀ ତର୍ଜମା କରିବେ । ମନ୍ତ୍ରିମାନେ ଦକ୍ଷତାର ସହ ନିଜର କାମ କରିଛନ୍ତି ଓ ଦଳ ନିର୍ବାଚନୀ ପ୍ରତିଶ୍ରୃତି ପାଳନ କରିଥିବା ବିଜେପି ବିଧାୟକ ସରୋଜ ପାଢୀ ଯୁକ୍ତି ବାଢିଛନ୍ତି । ଶାସକ ଦଳର ଏପରି ଯୁକ୍ତିକୁ କିନ୍ତୁ ଗ୍ରହଣ କରିନାହିଁ ବିଜେଡି । ବିଜେପି ସରକାର ବର୍ଷେ ହେବା କେବଳ ନାଁ ଓ ରଙ୍ଗ ପରିବର୍ତ୍ତିନ କାମ କରିଛନ୍ତି । ତାହାକୁ ସେମାନେ ନିଜ ରିପୋର୍ଟ କାର୍ଡରେ ଉଲ୍ଲେଖ କରିବେ କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ । ରାଜନୈତିକ ସମୀକ୍ଷକଙ୍କ ଯୁକ୍ତି ହେଉଛି ପୂର୍ବ ସରକାର ସମୟରେ ବି ମନ୍ତ୍ରୀମାନେ ନିଜର ରିପୋର୍ଟ କାର୍ଡ ଦେଉଥିଲେ । ରିପୋର୍ଟ କାର୍ଡକୁ ଆଧାର କରି ମୁଖ୍ୟମନ୍ତ୍ରୀ ମନ୍ତ୍ରିମାନଙ୍କ ଦକ୍ଷତା ମାପିବାର ମାପକାଠି କରିପାରନ୍ତି ବୋଲି ସମୀକ୍ଷକ ଆକଳନ କରିଛନ୍ତି ।
ବର୍ଷେ ଭିତରେ ବହୁମନ୍ତ୍ରୀ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସି ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଛନ୍ତି । ରିପୋର୍ଟ କାର୍ଡରେ ମନ୍ତ୍ରୀମାନେ ପ୍ରଥମ ବର୍ଷର ସଫଳତା ଓ ଆଗାମୀ ବର୍ଷର ଲକ୍ଷ୍ୟକୁ ଉଲ୍ଲେଖ କରିଥିବା ଯୁକ୍ତି ବାଢୁଥିବା ବେଳେ ବିରୋଧୀ ଏଥିରେ ବିଫଳତାର ଏକ୍ସଟ୍ରା ଫର୍ଦ୍ଦ ଯୋଡିଛନ୍ତି ।