ଶେଷଥର ପାଇଁ କେବେ ଖୋଲାଯାଇଥିଲା ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ? କେତେ ଅଳଙ୍କାର ଅଛି ମହାପ୍ରଭୁଙ୍କର ?
ଭୁବନେଶ୍ୱର : ଏବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ । ୧୩ ମେ ୧୯୭୮ରୁ ୨୩ ଜୁଲାଇ ୧୯୭୮ ମଧ୍ୟରେ ତାଲିକା କରାଯାଇଥିବା ସୁନା ରୂପା ସାମଗ୍ରୀ ସୁରକ୍ଷିତ ଥିବା ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।
ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୧୯୮୫ ଜୁଲାଇ ୧୪ ତାରିଖରେ ଶେଷଥର ପାଇଁ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । ଏହି ସମୟରେ ୪୫୪ଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଗଣତି ହୋଇଥିଲା । ତେବେ ଏହାର ପରିମାଣ ୧୨ ହଜାର ୮୩୮ ଭରି ବୋଲି ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ।
୨୩୬ଟି ରୂପା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ରତ୍ନ ଭଣ୍ଡାରରେ ରହିଥିବା ଆଇନ ମନ୍ତ୍ରୀ କହିଛନ୍ତି । ଏ ଅଳଙ୍କାର ମଧ୍ୟରୁ ୮ଟି ସୁନା ମୂର୍ତ୍ତି, ୬ଟି ରୂପା ବାସନ ଓ ରୂପା ମୂର୍ତ୍ତି ବିଭିନ୍ନ କାରଣରୁ ଓଜନ ହୋଇପାରିନଥିବାରୁ ଏହାର ପରିମାଣ ଆକଳନ କରାଯାଇପାରି ନାହିଁ । ଏଗୁଡ଼ିକ ମୋଟ୍ ଓଜନ ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ ବୋଲି ଗୃହକୁ ସୂଚନା ପ୍ରଦାନ କରିଛନ୍ତି ମନ୍ତ୍ରୀ ।
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଶେଷଥର ପାଇଁ କେବେ ରତ୍ନ ଭଣ୍ଡାର ଖୋଲାଯାଇଥିଲା ଓ ସେ ସମୟରେ କଣ କଣ ରତ୍ନ କେତେ ପରିମାଣର ଥିଲା ବୋଲି ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ ।