ଉପ-ନିର୍ବାଚନ ଫଳାଫଳ ପରେ ବିଜେପିକୁ ସତର୍କ କଲେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ: କହିଲେ, ସତର୍କ ହୁଅ ନଚେତ ଗାଦିରୁ ଯିବ

ଭୁବନେଶ୍ୱର: ବୁଲେଇ ବଙ୍କେଇ ନୁହଁ । ଏଥର ସିଧାସଳଖ ଆକ୍ରମଣ । କେନ୍ଦ୍ରର ବିଜେପି ସରକାର ବିରୋଧରେ ଶାସକ ବିଜେଡି ବାନ୍ଧିଛି ମୋର୍ଚ୍ଚା । ତେଲଦର ବୃଦ୍ଧିକୁ ନେଇ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି । ରାଜ୍ୟ ସରକାରଙ୍କର ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରକୁ ଶୁଣାଇଛନ୍ତି ସର୍ତକବାଣୀ । ବହୁତ ହୋଇଗଲା , ଆଉ ନୁହଁ । ଦରବୃଦ୍ଧିରେ ସାରା ଦେଶ ଏବେ କଲବଲ । ସବୁ କ୍ଷେତ୍ରରେ କେନ୍ଦ୍ର ବିଫଳ ହୋଇଛି । ଜନ ଅସନ୍ତୋଷ ତେଜିଲାଣି । ବିଭିନ୍ନ ରାଜ୍ୟରେ ଉପନିର୍ବାଚନ ଫଳାଫଳ ବିଜେପି ବିରୋଧରେ ଯାଇଛି । ଏବେଠୁ କେନ୍ଦ୍ର ସରକାର ସତର୍କ ହୋଇ ଯାଆନ୍ତୁ । ଦରବୃଦ୍ଧି ନ ରୋକିଲେ ଆଗକୁ ଲୋକ ଜବାବ ଦେବେ । ସରକାର ଶାସନ କ୍ଷମତାରୁ ଯିବେ । ଏମିତି ଭବିଷ୍ୟବାଣୀ କରିଛନ୍ତି ରଣେନ୍ଦ୍ର ।
ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେପିର ପରାଜୟ ଦରବୃଦ୍ଧିର ପ୍ରତିଫଳନ ବୋଲି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଯୁକ୍ତି ବାଢ଼ିଛନ୍ତି ।ସେ ଅଭିଯୋଗ କରିଛନ୍ତି, ଦରବୃଦ୍ଧିକୁ ପ୍ରସଙ୍ଗ କରି ବିଜେପି କ୍ଷମତାକୁ ଆସିଲା । ମାତ୍ର ଏବେ ଦରଦାମ ଆକାଶଛୁଆଁ । ରାଜ୍ୟର କ୍ଷମତାକୁ କେନ୍ଦ୍ର ଛଡ଼ାଇ ନେଇଛି । ପେଟ୍ରୋଲ ଓ ଡିଜେଲ ଦର ଉପରେ ରାଜ୍ୟର କିଛି ନିୟନ୍ତ୍ରଣ ନାହିଁ । କେନ୍ଦ୍ରର ଟିକସ ବୋଝ ତେଲଦରକୁ ସର୍ବକାଳୀନସ୍ତରକୁ ନେଇଛି । ଡିଜେଲ ଦର ବଢ଼ିବାରୁ ଚାଷୀର ଉତ୍ପାଦନ ଖର୍ଚ୍ଚ ବଢ଼ିଛି । ପରିବହନ ଖର୍ଚ୍ଚ ମଧ୍ୟ ବଢ଼ି ବଢ଼ି ଚାଲିଛି । ସାଧାରଣ ଲୋକ ବଞ୍ଚିବ କେମିତି? ବେଳ ଥାଉ ଥାଉ କେନ୍ଦ୍ର ବାଟ ବାହାର ନକଲେ ଆଗକୁ ଦର ଅହୁରି ଉଚ୍ଚା ଧରିବ । ଏହାର ଫଳ କିନ୍ତୁ କେନ୍ଦ୍ରକୁ ଭୋଗିବାକୁ ହେବ ବୋଲି ସମାଲୋଚନା କରି କହିଛନ୍ତି ରଣେନ୍ଦ୍ର ।

ସୂଚନା ଯୋଗ୍ୟ, ଦେଶରେ ୩ ଲୋକସଭା ଓ ୨୯ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ହିମାଚଳ ପ୍ରଦେଶରେ ଶାସନରେ ଥିବା ବିଜେପିକୁ ଝଟକା ଲାଗିଛି ।  ମଣ୍ଡି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀର ଭଦ୍ର ସିଂହଙ୍କ ପତ୍ନୀ  ପ୍ରତିଭା ସିଂ ବିଜେପି ପ୍ରାର୍ଥୀ କୋଶାଲ ଠାକୁରଙ୍କୁ ପରାଜିତ କରିଛନ୍ତି । ଏହାସହ ୩ ଟି ବିଧାନସଭା ଆସନରେ ବି ବିଜେପିକୁ ପରାଜିତ କରି କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଆସାମରେ ହୋଇଥିବା ୫ ଟି ବିଧାନସଭା ପାଇଁ ନିର୍ବାଚନରେ ବିଜେପି ମେଣ୍ଟ ଆଗୁଆ ରହିଛି । ସେହିଭଳି ମିଜୋରମରେ ଗୋଟିଏ ବିଧାନସଭା ଆସନ ପାଇଁ ହୋଇଥିବା ମତଦାନରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ବିଜୟୀ ହୋଇଛି । ସେହିଭଳି ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ଉପ ନିର୍ବାଚନରେ ମତଦାନରେ ସବୁ ଆସନରେ ଟିଏମସି ବିଜୟୀ ହୋଇଛନ୍ତି । ସେହିଭଳି ରାଜସ୍ଥାନରେ ୨ଟି ବିଧାନସଭା ଆସନରେ ହୋଇଥିବା ମତଦାନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ହିମାଚଳ ପ୍ରଦେଶରେ କଂଗ୍ରେସର କ୍ଲିନ୍ ସ୍ବିପ୍ ; ବିଜେପି ହାତରୁ ଗଲା ମଣ୍ଡି ଆସନ

Leave a Reply