ସବ୍‌ସିଡି ଟଙ୍କା ବକେୟା ନେଇ କେନ୍ଦ୍ରକୁ ଚିଠି ଲେଖିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

1 min read
Food Supplies Minister Statement In Assembly Over Paddy Procurement

ଭୁବନେଶ୍ୱର: କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଲେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଧାନ ସଂଗ୍ରହ ଓ ଚାଉଳ ଯୋଗାଣ ସମ୍ପର୍କରେ ଚିଠି ଲେଖିଛନ୍ତି ରଣେନ୍ଦ୍ର । ଧାନ କିଣାରେ ସବ୍‌ସିଡି ଟଙ୍କା ବକେୟା ପଡ଼ିଥିବା ନେଇ କହିଲେ ମନ୍ତ୍ରୀ ।

ସେ କହିଛନ୍ତି, କୋଭିଡ୍‌ ସଙ୍କଟ ବେଳେ କୃଷିକ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ମହାମାରୀ ସମୟରେ ବି ରାଜ୍ୟରେ ଧାନ କିଣା ଜାରି ରହିଥିଲା । ସବୁ ପ୍ରକାର ସ୍ୱଚ୍ଛତା ବଜାୟ ରଖି ଧାନ କିଣିଥିଲେ ସରକାର । ଦୂର ଦୂରାନ୍ତରର ଚାଷୀଙ୍କୁ ଏମ୍‌ଏସ୍‌ପି ଅର୍ଥ ପ୍ରଦାନ କରାଯାଇଛି ।  ରାଜ୍ୟରେ ଏବେ ପୂରା ଦମ୍‌ରେ ଖରିଫ୍‌ ଧାନ କ୍ରୟ ଚାଲିଥିବା କହିଛନ୍ତି ମନ୍ତ୍ରୀ । ସରକାରଙ୍କୁ ଧାନ ବିକିବାକୁ ଅଧିକରୁ ଅଧିକ ଚାଷୀ ଆଗ୍ରହ ପ୍ରକାଶ କରୁଛନ୍ତି । ଏହାଅର୍ଥ ଏମ୍‌ଏସ୍‌ପି ଯୋଗୁଁ ଚାଷୀ ଉପକୃତ ମଧ୍ୟ ହେଉଛନ୍ତି ।

ତେବେ ଏହି ପ୍ରକ୍ରିୟା ମଧ୍ୟରେ ୨ଟି ସମସ୍ୟା ଦେଖାଦେଇଛି । ଏହା ସମସ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ୱାଇଁ ।

ସେ ଲେଖିଛନ୍ତି ଏମ୍‌ଏସ୍‌ପି ପ୍ରଦାନ ପାଇଁ ୧୫ ହଜାର କୋଟି ଟଙ୍କାର ଋଣ କରାଯାଇଛି । OSCSC ଏହି ଟଙ୍କା ଋଣ କରିଛି । ସବ୍‌ସିଡି ଅର୍ଥ ପ୍ରଦାନ କରାଯାଇନଥିବାରୁ ଏହି ଋଣ କରାଯାଇଛି । ଏଯାଏଁ ୬ ହଜାର ୩୯ କୋଟିର ସବସିଡି ବକେୟା ପଡ଼ିଛି । ଉଷୁନା ଚାଉଳ ଉଠାଣକୁ ନେଇ ସମସ୍ୟା ଦେଖାଦେଇଛି । ବଳକା ଉଷୁନା ଚାଉଳ ଉଠାଣ ହ୍ରାସ ପାଇଁ କହିଛି ଏଫ୍‌ସିଆଇ । ଏହା ଦ୍ୱାରା ରାଜ୍ୟ ଉପରେ ଅଧିକ ବୋଝ ପଡ଼ିବ । ଏଣୁ ଏହି ଦୁଇ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

Leave a Reply