ବିଧାନସଭାରେ ଖାଇବା ତେଲ ଦର ବୃଦ୍ଧି ପ୍ରସଙ୍ଗ: ମନ୍ତ୍ରୀ କହିଲେ ‘କେନ୍ଦ୍ର ଟିକସ ନେଉଛି ତେଣୁ ଦର ବଢ଼ୁଛି’

1 min read

ଭୁବନେଶ୍ୱର: ଆକାଶ ଛୁଆଁ ଦର ହେଲାଣି ଖାଇବା ତେଲ । ଏନେଇ ମଙ୍ଗଳବାର ବିଧାନସଭାରେ ହୋଇଛି ଆଲୋଚନା । ଖାଇବା ତେଲର ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ଅଧିକ ଟିକସ ଆଦାୟ ଯୋଗୁ ଖାଇବା ତେଲ ଦର ବୃଦ୍ଧି ପାଉଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ । ବିଧାନସଭାରେ ଖାଇବା ତେଲ ଦର ବୃଦ୍ଧି ସଂପର୍କିତ ଆଲୋଚନା ବେଳେ ଉତ୍ତର ଦେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ମଧ୍ୟ ଖାଇବା ତେଲର ଦର ବୃଦ୍ଧି ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଥିଲା । ତେଲ ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକ ହଇରାଣ ହେଉଛନ୍ତି । ତେଣୁ କେନ୍ଦ୍ର ସରକାର ତେଲ ଉପରୁ ଟ୍ୟାକ୍ସ କମାନ୍ତୁ ବୋଲି କଂଗ୍ରେସ ଦାବି କରିଛି । ମୁଲତବି ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ପାମୋଲିନ୍ ତେଲ ଉପରେ କେନ୍ଦ୍ର ସରକାର ୧୭ ଦଶମିକ ୫ ପ୍ରତିଶତ ଶୁଳ୍କ ନେଉଛନ୍ତି । ତେଣୁ ଦର ବୃଦ୍ଧି ପାଉଛି ।

ସେହିଭଳି ସୂର୍ଯ୍ୟମୁଖୀ ଓ ସୋୟାବିନ୍ ତେଲ ଉପରେ ୨୦ପ୍ରତିଶତ ଶୁଳ୍କ ନେଉଛନ୍ତି କେନ୍ଦ୍ର ସରକାର । ଖାଇବା ତେଲ ଉପରେ କୃଷି ଉନ୍ନତୀକରଣ ଶୁଳ୍କ ଲାଗୁ କରିଛି କେନ୍ଦ୍ର । ଏହାଛଡ଼ା ଖାଇବା ତେଲ ଉପରେ କେନ୍ଦ୍ର ୨୧ପ୍ରତିଶତ ଆମଦାନୀ ଶୁଳ୍କ ନେଉଛି । ଖାଇବା ତେଲ ଉପରେ ୫ପ୍ରତିଶତ GST ଆଦାୟ କରୁଛନ୍ତି କେନ୍ଦ୍ର ସରକାର । ସୋରିଷର ସର୍ବନିମ୍ନ ସହାୟକ ମୂଲ୍ୟ ୨ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି । ଖାଇବା ତେଲକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ବି କେନ୍ଦ୍ର ସରକାର ବାଦ ଦେଇଛନ୍ତି । ୩୦ ଖାଦ୍ୟ ନିରାପତ୍ତା ଅଧିକାରୀ ଖାଇବା ତେଲ ନମୁନା ସଂଗ୍ରହ କରୁଛନ୍ତି । ଏହାକୁ ରାଜ୍ୟ ଖାଦ୍ୟ ପ୍ରୟୋଗଶାଳାରେ ପରୀକ୍ଷା କରାଯାଉଛି । ବଜାରରେ ପ୍ରତିଫଳିତ ହୋଇ ଆମ ରାଜ୍ୟର ପ୍ରମୁଖ ବଜାରରେ ଖଲବା ତେଲର ମୂଲ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ଚଳିତବର୍ଷ ଖାଇବା ତେଲର ଦର ବୃଦ୍ଧି ଏକ ସର୍ବଭାରତୀୟ ଘଟଣା ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply