ଦାୟିତ୍ୱ ପରେ ଅଧିକାରୀଙ୍କ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ବୈଠକ

1 min read

ଭୁବନେଶ୍ୱର: ଦାୟିତ୍ୱ ଗ୍ରହଣ ପରେ ସୂଚନା ଓ ଲୋକସଂପର୍କ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ  ପ୍ରଦୀପ କୁମାର ଅମାତ ଆଜି ଲୋକସଂପର୍କ ଭବନକୁ ପରିଦର୍ଶନରେ ଆସି ବିଭାଗୀୟ ଅଧିକାରୀ ତଥା କର୍ମଚାରୀମାନଙ୍କ ସହ ମିଳିତ ହୋଇଥିଲେ । ଲୋକସଂପର୍କ ଭବନ ସମ୍ମିଳନୀ କକ୍ଷରେ ଆହୂତ ଏକ ବୈଠକରେ ମନ୍ତ୍ରୀ  ଅମାତଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଥିଲା । ବିଭାଗୀୟ ପ୍ରମୁଖ ଶାସନ ସଚିବ  ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଏବଂ ଅନ୍ୟ ଅଧିକାରୀମାନେ ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ ।

ମନ୍ତ୍ରୀ  ଅମାତ ସୂଚନା ଓ ଲୋକସଂପର୍କ ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଭାବରେ ଅଭିହିତ କରି ଏହା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗ ସେତୁର ଭୂମିକା ନିର୍ବାହ କରିଥାଏ ବୋଲି କହିଥିଲେ । ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ଓ ସଫଳତାକୁ ଜନସାଧାରଣଙ୍କ ନିକଟରେ ସଠିକ୍‌ ଭାବରେ ଉପସ୍ଥାପନ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଭାଗକୁ ଅଧିକ କ୍ରିୟାଶୀଳ ଓ ସଫଳ କରି ଗଢ଼ିତୋଳି ଉତ୍କର୍ଷ ପ୍ରତିପାଦନ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସଚେତନ ଉଦ୍ୟମ କରବା ପାଇଁ
ମନ୍ତ୍ରୀ କହିଥିଲେ । ବିଭାଗର ବିଭିନ୍ନ ସମସ୍ୟା ଦୂରୀକରଣ ପାଇଁ ଯଥୋଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସରକାରଙ୍କ ଯୋଜନା, କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା, ବିଭିନ୍ନ ଜାତୀୟ ଦିବସ ତଥା ମହାପୁରୁଷମାନଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ପାଳନ କରିବା ସହିତ ବିଭିନ୍ନ ପ୍ରକାଶନ ପାଇଁ ବିଭାଗ ପଦକ୍ଷେପ ନେଇଥାଏ ବୋଲି କହିଥିଲେ । ବର୍ତ୍ତମାନ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅବଲମ୍ବନରେ ଇଣ୍ଟରନେଟ୍‌, ଇ-ମେଲ୍‌, ଟ୍ୱିଟର, ଇନ୍‌ଷ୍ଟାଗ୍ରାମ ପରି ସାମାଜିକ ଗଣମାଧ୍ୟମର ସହାୟତାରେ ସୂଚନା ଅଧିକାରୀମାନେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକୁ ସବୁସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମର ଗୁରୁତ୍ୱ ଉଲ୍ଲେଖ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ସୂଚନା ଓ ଲୋକସଂପର୍କ ବିଭାଗର ସମସ୍ତ କାର୍ଯ୍ୟକ୍ରମ ସଂପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ, ଡିଜିଟାଇଜେସନ୍‌ ତଥା ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ସୂଚନା ଦେବା ସହିତ ନିର୍ଦ୍ଦେଶକ  ତି୍ରପାଠୀ ଅଧିକାରୀମାନଙ୍କ କର୍ମସଂସ୍କୃତି, ଶୃଙ୍ଖଳା ଓ ନିଷ୍ଠା ଉପରେ ଆସ୍ଥାପ୍ରକଟ କରିଥିଲେ । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡକଫର ଲେନିନ୍‌ ମହାନ୍ତି ସଫଳ କାର୍ଯ୍ୟାନ୍ୱୟନରେ ବିଭିନ୍ନ ପ୍ରତିବନ୍ଧକ ଅତିକ୍ରମ କରି ବିଭାଗର ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ । ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିବାବେଳେ
ଏହି ବୈଠକରେ ଯୁଗ୍ମ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ  ସନ୍ତୋଷ କୁମାର ଦାସଙ୍କ ସମେତ ଯୁଗ୍ମ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ ଏବଂ ଅନ୍ୟ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ ।