ରେଷ୍ଟୁରାଣ୍ଟରେ ମିଳିଲାନି ସିଟ୍, ରାତାରାତି କରାଇଲେ ରେଡ୍ ମନ୍ତ୍ରୀ !

ନନ୍ଦିଘୋଷ ବ୍ୟୁରୋ : ରେଷ୍ଟୁରାଣ୍ଟରେ ସିଟ୍ ନମିଳିବାରୁ ତାତିଲେ ମନ୍ତ୍ରୀ, ରାତାରାତି କରାଇଲେ ରେଡ୍ । ମଧ୍ୟପ୍ରଦେଶର ଜନସ୍ୱାସ୍ଥ୍ୟ ମନ୍ତ୍ରୀ ନରେନ୍ଦ୍ର ଶିବାଜୀ ପଟେଲ ଗ୍ୱାଲିୟରର କ୍ୱାଲିଟି ରେଷ୍ଟୁରାଣ୍ଟରେ ସିଟ୍ ନପାଇବାରୁ କରିଛନ୍ତି ହଙ୍ଗାମା । ରବିବାର ରାତିରେ ସିଟି ସେଣ୍ଟର ଅଞ୍ଚଳରେ ଥିବା ରେଷ୍ଟୁରାଣ୍ଟରେ ଘଟିଥିବା ଘଟଣାର ସିସିଟିଭି ଫୁଟେଜ୍ ଏବେ ଭାଇରାଲ ହୋଇଛି । ଯେଉଁଥିବେ ମନ୍ତ୍ରୀଙ୍କ ପିଏସଓ ହୋଟେଲ୍ କର୍ମଚାରୀଙ୍କୁ ଠେଲାପେଲା କରୁଥିବା ଦେଖିବାକୁ ମିଳିଛି । ସିଟ୍ ନପାଇବାରୁ ମନ୍ତ୍ରୀ ରାଗରେ ଖାଦ୍ୟ ସୁରକ୍ଷା ଟିମକୁ ରାତିରେ ନମୁନା ସଂଗ୍ରହ କରିବାକୁ ଡକାଇଥିଲେ , ଏହା ପରେ ପୋଲିସ ରେଷ୍ଟୁରାଣ୍ଟ ମାଲିକଙ୍କୁ ହେପାଜତକୁ ନେଇଥିଲା । ପରେ ବ୍ୟବସାୟୀଙ୍କ ବିରୋଧ ପରେ ତାଙ୍କୁ ଛଡାଯାଇଥିଲା ।
ସୂଚନା ଅନୁଯାୟୀ, ମନ୍ତ୍ରୀ ନରେନ୍ଦ୍ର ଶିବାଜୀ ପଟେଲ ବିଧାନସଭା ବାଚସ୍ପତି ନରେନ୍ଦ୍ର ସିଂହ ତୋମରଙ୍କ ସାନପୁଅଙ୍କ ସ୍ୱାଗତ ଉତ୍ସବରେ ଯୋଗଦେବା ପାଇଁ ଗ୍ୱାଲିୟର ଆସିଥିଲେ । ରାତିରେ ସେ ତାଙ୍କ ପରିବାର ସହିତ କ୍ୱାଲିଟି ରେଷ୍ଟୁରାଣ୍ଟକୁ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ । ରବିବାର ଭିଡ଼ ଯେଗୁଁ ରେଷ୍ଟୁରାଣ୍ଟର ସମସ୍ତ ଟେବୁଲ୍ ବୁକ୍ ହୋଇଯାଇଥିଲା । ଯାହା ଫଳରେ ମନ୍ତ୍ରୀଙ୍କୁ ଅପେକ୍ଷା କରିବାକୁ ପଡିଥିଲା । ଅନ୍ୟପଟେ ରେଷ୍ଟୁରାଣ୍ଟ କର୍ମଚାରୀମାନେ କହିଛନ୍ତି ଯେ, ଦୁଇଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ୫ଜଣ ଏବଂ ୧୦ ଜଣଙ୍କ ପାଇଁ ପୃଥକ ଟେବୁଲ ବୁକ୍ କରିଥିଲେ । କର୍ମଚାରୀମାନେ କାହା ନାମରେ ବୁକିଂ କରାଯାଇଛି ବୋଲି ପଚାରିବାରୁ ମନ୍ତ୍ରୀ ରାଗିଯାଇଥିଲେ । ଏବେ ପରେ ମନ୍ତ୍ରୀ ଏବଂ ତାଙ୍କ ପିଏସଓ ରେଷ୍ଟୁରାଣ୍ଟର ରୋଷେଇ ଘରକୁ ପ୍ରବେଶ କରିଥିଲେ ଏବଂ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହାପରେ ମନ୍ତ୍ରୀ ତୁରନ୍ତ ଖାଦ୍ୟ ସୁରକ୍ଷା ଦଳକୁ ଡାକି ନମୁନା ସଂଗ୍ରହ କରାଇଥିଲେ, ଯାହା ରାତି ୧୧ଟା ୧୫ ଯାଏଁ ଚାଲିଥିଲା । ଗୋଟିଏ ତେଲ ନମୁନା ତୁରନ୍ତ ପରୀକ୍ଷାରେ ବିଫଳ ହୋଇଥିଲା । ଏହି ସମୟରେ, ପୋଲିସ ରେଷ୍ଟୁରାଣ୍ଟ ମାଲିକ କମଲ ଆରୋରାଙ୍କୁ ଅଟକ ରଖିଥିଲେ, କିନ୍ତୁ ଚାମ୍ୱର ଅଫ୍ କମର୍ସ ଏବଂ ବ୍ୟବସାୟୀଙ୍କ ବିରୋଧ ପରେ ତାଙ୍କୁ ଛାଡି ଦିଆଯାଇଥିଲା ।