କର୍ଣ୍ଣାଟକରେ ଠିକାଦାର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲା, ଆଜି ଇସ୍ତଫା ଦେବେ ମନ୍ତ୍ରୀ କେ.ଏସ ଈଶ୍ୱରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଠିକାଦାର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲା । ଆଜି ଇସ୍ତଫା ଦେବେ କର୍ଣ୍ଣାଟକର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ ଈଶ୍ୱରପ୍ପା । ସଂଧ୍ୟାରେ ଈଶ୍ୱରପ୍ପା ମନ୍ତ୍ରୀପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଠିକାଦାର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲାରେ ତାଙ୍କ ବିରୋଧରେ ଏତଲା ଦାୟର ହୋଇଥିଲା । ଏକ ଠିକା କାର୍ଯ୍ୟ ପାଇଁ ମନ୍ତ୍ରୀ ଈଶ୍ୱରପ୍ପା ତାଙ୍କଠାରୁ ୪୦ ପ୍ରତିଶତ କମିଶନ ଦାବି କରିଥିଲେ । ଏଥିସହ ମନ୍ତ୍ରୀ ତାଙ୍କୁ ମାନସିକ ନିର୍ଯାତନ ଦେଉଥିବା ନେଇ ଅଭିଯୋଗ କରିଥିଲେ । ତାଙ୍କ ମୃତ୍ୟୁ ପାଇଁ ମନ୍ତ୍ରୀ ଦାୟୀ ବୋଲି ସୁଇସାଇଡ ନୋଟରେ ଉଲ୍ଲେଖ କରିଥିଲେ ଠିକାଦାର ସନ୍ତୋଷ ପାଟିଲ । ଉଡୁପିର ଏକ ଲଜରୁ ଠିକାଦାରଙ୍କ ମୃତଦେହ ମିଳିଥିଲା । ଏହି ଘଟଣା ପରେ ଈଶ୍ୱରପ୍ପାଙ୍କ ଇସ୍ତଫା ଦାବି ଜୋରଦାର ହୋଇଥିଲା । ବିରୋଧୀ କଂଗ୍ରେସ ଈଶ୍ୱରପ୍ପାଙ୍କ ଇସ୍ତଫା ଦାବିରେ ରାଜ୍ୟ ଓ ଦିଲ୍ଲୀରେ ବିକ୍ଷୋଭ କରିଥିଲା ।