ରାଜ୍ୟରେ ବଢୁଛି ଖଣି କାରବାର, ଏ ବର୍ଷ ଲୁହାପଥର ଉତ୍ପାଦନରେ ୩୫% ବୃଦ୍ଧି

1 min read
Mining Sector Developing In Odisha, Iron Production Increased 35 Percentage

ଭୁବନେଶ୍ୱର: ରାଜ୍ୟର ଖଣି କାରବାରରେ ବ୍ୟାପକ ଅଭିବୃଦ୍ଧି । କିଛି ବର୍ଷ ହେଲାଣି ଖଣି ରାଜସ୍ୱ ସଂଗ୍ରହ ଠାରୁ ଆରମ୍ଭ କରି ଖଣିଜ ଉତ୍ପାଦନରେ ଓଡ଼ିଶା ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇଛି । ଗତବର୍ଷ ତୁଳନାରେ ପ୍ରଥମ ତିନିମାସରେ ଏବର୍ଷ ରାଜ୍ୟରେ ଲୁହାପଥର ଉତ୍ପାଦନ ୩୫ ପ୍ରତିଶତ ବୃଦ୍ଧି ହୋଇଛି । ଓଡ଼ିଶା ପଛକୁ କର୍ଣ୍ଣାଟକ ରହିଛି । ଖଣି କାରବାରର ପରିଚାଳନା ପାଇଁ 5T ଅଧିନରେ ଅନେକ ପଦକ୍ଷେପ ନିଆଯାଉଛି । ସ୍ୱଚ୍ଛ ଖଣିନୀତି, ଇଜ୍ ଅଫ୍ ଡ଼ୁଇଙ୍ଗ ଜରିଆରେ ପୁଞ୍ଜି ନିବେଶ ସାଙ୍ଗକୁ ଏହାର ର୍କାଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯାଉଛି ।

ନବୀନ ସରକାରଙ୍କ ସ୍ୱଚ୍ଛ ଖଣିନୀତି ଯୋଗୁଁ ବଢୁଛି ଉତ୍ପାଦନ ଓ ରାଜସ୍ୱ । ଲଗାତାର କିଛି ବର୍ଷ ହେଲା ଖଣି କାରବାରରେ ହୋଇଛି ବ୍ୟାପକ ଅଭିବୃଦ୍ଧି । ଗତବର୍ଷ ଅପେକ୍ଷା ଏବର୍ଷ ରାଜ୍ୟରେ ଲୁହାପଥର ଉତ୍ପାଦନ ୩୫ ପ୍ରତିଶତ ବୃଦ୍ଧି ହୋଇଛି । ଗତବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୮କୋଟି ୧୨ଲକ୍ଷ ୨୬ହଜାର ଟନ୍ ଲୁହାପଥର ଉତ୍ପାଦନ ହୋଇଥିଲା । ହେଲେ ଏବର୍ଷ ପ୍ରଥମ ତିନିମାସରେ ୧୦କୋଟି ୯୬ଲକ୍ଷ ଟନରେ ପହଞ୍ଚିଲାଣି । ଓଡ଼ିଶାର ବହୁ ପଛରେ ରହିଛି କର୍ଣ୍ଣାଟକ । ୩ କୋଟି ୨୩ ଲକ୍ଷ ଲୁହାପଥର ଉତ୍ପାଦନ କରି ଦ୍ୱିତୀୟ ସ୍ଥାନରେ ରହିଛି । ସଂସଦରେ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ତଥ୍ୟ ରଖିଛନ୍ତି । ସାରା ଦେଶରେ ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ ଖଣି ଉତ୍ପାଦନରେ ଓଡ଼ିଶା ଅନେକ ଆଗରେ ରହିଛି । ଓଡ଼ିଶା ସରକାର ଆଇଥ୍ରୀଏମ୍‌ଏସ୍ ସଫ୍ଟୱେର ଜରିଆରେ ଖଣି ଉତ୍ତୋଳନ, ଖଣି ପରିବହନର ଅନ୍‌ଲାଇନ୍ ଟ୍ରାକିଂ ବ୍ୟବସ୍ଥା ଯୋଗୁଁ ଖଣିର ଚୋରା କାରବାରକୁ ରୋକାଯାଇ ପାରିଛି । ନବୀନ ସରକାରଙ୍କ 5T ଚାର୍ଟର ସାଙ୍ଗକୁ ଅନୁକୂଳ ପରିବେଶ, ଇଜ୍ ଅଫ୍ ଡ଼ୁଇଙ୍ଗ ଯୋଗୁଁ ଖଣି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ଓଡ଼ିଶା ସମସ୍ତଙ୍କ ପସନ୍ଦ ବୋଲି ସମୀକ୍ଷକ କହିଛନ୍ତି ।

Mining Sector Developing In Odisha, Iron Production Increased 35 Percentage

ଗତବର୍ଷ ରାଜ୍ୟରେ ୩୦ଟି ଖଣି ନିଲାମ ହୋଇଥିବା ବେଳେ ଏବର୍ଷ ଆଉ ୩୦ଟି ଖଣି ନିଲାମ କରିବାକୁ ଟାର୍ଗେଟ ରଖାଯାଇଛି । ଆସନ୍ତା ୧୦ବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ ପ୍ରାୟ ୨୦୦ଖଣି କାର୍ଯ୍ୟକ୍ଷମ ହେବ । ଖଣି କାରବାର ବଢୁଥିବାରୁ ରାଜସ୍ୱ ମଧ୍ୟ ବଢୁଛି । ଏବର୍ଷ ଖଣି କ୍ଷେତ୍ରରୁ ୪୦ହଜାର କୋଟି ଟଙ୍କାର ରାଜସ୍ୱ ଆକଳନ ହୋଇଛି । ସେହି ଅନୁସାରେ ଖଣିଜ ଭିତ୍ତିକ ଶିଳ୍ପାୟନ ସଂଖ୍ୟା ବି ବଢୁଛି । ଜଗତସିଂହପୁରରେ ଜେଏସ୍‌ଡବ୍ଲୁ, କେନ୍ଦ୍ରାପଡ଼ାରେ ମିତ୍ତଲ କମ୍ପାନୀ ବୃହତ୍ତ ପୁଞ୍ଜି ନିବେଶ କରୁଛନ୍ତି । ଓଡ଼ିଶାର ପ୍ରଗତିରେ ଖଣି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବିଶେଷଜ୍ଞ ଓ ସମୀକ୍ଷକ କହିଛନ୍ତି ।

ଚଳିତ ଆଥିକ ବର୍ଷରେ ଖଣି ରାଜସ୍ୱ ୧୬ ହଜାର ୫୫୨ କୋଟିରେ ପହଞ୍ଚିଛି । ରାଜ୍ୟରେ ଚିହ୍ନଟ ହୋଇଥିବା ବିଭିନ୍ନ ପ୍ରକାରର ୬୭୭ ଖଣି ମଧ୍ୟରୁ ୧୩୮ଟି କାର୍ଯ୍ୟକ୍ଷମ ଥିବା ବେଳେ ଅନ୍ୟ ଗୁଡ଼ିକରେ ଭିନ୍ନ ଭିନ୍ନ କାରଣରୁ ଖଣି ଉତ୍ତୋଳନ ହେଉନାହିଁ ।