ବେଆଇନ ଖନନ ରୋକିବାକୁ ଯାଇଥିବା ଡିଏସପିଙ୍କ ହତ୍ୟା କଲେ ଖଣି ମାଫିଆ

ଚଣ୍ଡିଗଡ଼: ହରିୟାଣାର ନୁଁହରେ ଅଭାବନୀୟ ଘଟଣା । ଖୋଲାଖୋଲି ଆଇନକୁ ଚ୍ୟାଲେଞ୍ଜ କରିଛନ୍ତି ଖଣି ମାଫିଆ । ନୁଁହ ଡିଏସପିଙ୍କୁ ଡମ୍ଫର ଚଢାଇ ହତ୍ୟା କରିଛନ୍ତି ଖଣି ମାଫିଆ । ତାବଡୁ ଅଞ୍ଚଳର ପଞ୍ଚଗାଓଁରେ ପାହାଡ଼ରେ ବେଆଇନ ଖନନର ସୂଚନା ପାଇ ଡିଏସପି ସୁରେନ୍ଦ୍ର ସିଂହ ବିଷ୍ଣୋଇ ରେଡ୍ ମାରିବାକୁ ଯାଇଥିଲେ । ହେଲେ ଖଣି ମାଫିଆ ଡମ୍ଫର ଚଢାଇ ତାଙ୍କୁ ହତ୍ୟା କରିଛନ୍ତି । ମଙ୍ଗଳବାର ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ପୋଲିସ ପକ୍ଷରୁ ସିଲ୍ କରାଯାଇଛି । ତାବଡୁ ପୋଲିସକୁ ସୂଚନା ମିଳିଥିଲା ଯେ, ପଞ୍ଚଗାଓଁରେ ବେଆଇନ ଖଣି ଖନନ କରାଯାଉଛି ।

ଡିଏସପି ସୁରେନ୍ଦ୍ର ସିଂହ ପୋଲିସ ଟିମ ସହ ରେଡ୍ ମାରିବା ପାଇଁ ପହଞ୍ଚିଥିଲେ । ଡିଏସପି ଘଟଣା ସ୍ଥଳରେ ପଥର କାଟୁଥିବା ମାଫିଆଙ୍କୁ ରୋକିବା ପାଇଁ ପ୍ରୟାସ କରିଥିଲେ । ହେଲେ ସେମାନେ ଡିଏସପିଙ୍କ ଉପରେ ପଥର ଭର୍ତ୍ତି ଡମ୍ଫର ଗାଡ଼ି ଚଢାଇ ଦେଇଥିଲେ । ଡମ୍ଫର ପ୍ରଥମେ ତାଙ୍କୁ ଧକ୍କା ଦେବା ପରେ ତାଙ୍କ ଉପର ଦେଇ ମାଡ଼ିଯାଇଥଇଲା । ଡିଏସପି ସୁରେନ୍ଦ୍ର ସିଂହ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ । ଘଟଣା ପରେ ଅତିରିକ୍ତ ପୋଲିସ ବଳ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ୫ରୁ ୬ ଗୋଷ୍ଠୀ ମାଫିଆ ହତ୍ୟା ସମୟରେ ଉପସ୍ଥିତ ଥିବା ସୂଚନା । ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି ।

ଖଣି ମନ୍ତ୍ରୀ ମୂଲଚାନ୍ଦ ଶର୍ମା କହିଛନ୍ତି, ପୋଲିସ ଉପରେ ଏପରି ଆକ୍ରମଣ କରିଥିବା ଲୋକଙ୍କୁ ଛଡା ଯିବନି । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନୁଁହ ଡିଏସପି ସୁରେନ୍ଦ୍ରଙ୍କ ହତ୍ୟା ମାମଲାରେ ଗୃହମନ୍ତ୍ରୀ ଅନିଲ ବିଜ କହିଛନ୍ତି, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦିଆଯାଇଛି । ଯେତେ ଫୋର୍ସ ଲାଗୁଛି ପଛେ ଲାଗୁ ହେଲେ ସେମାନଙ୍କୁ ଖୋଜି ବାହାର କରାଯିବ । ସେପଟେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜୱାଲା କହିଛନ୍ତି, ହରିୟାଣା ଖଣି ମାଫିଆଙ୍କ ଆଡ୍ଡା ସ୍ଥଳ ପାଲଟିଛି । ସରକାର ଏବଂ ଖଣି ମାଫିଆଙ୍କ ମଧ୍ୟରେ ଭିତିରି ଡିଲ୍ ରହିଛି । ଡିଏସପିଙ୍କ ହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ ହେବା ପାଇଁ ସେ ଦାବି କରିଛନ୍ତି ।