କେତେ ହେବା କଥା ଝିଅଙ୍କ ବିବାହର ସର୍ବନିମ୍ନ ବୟସ, ପ୍ରଧାନମନ୍ତ୍ରୀଙ୍କ ଇସାରା ପରେ ଆରମ୍ଭ ହେଲା ବିତର୍କ

ଭୁବନେଶ୍ୱର: କେତେ ବୟସରେ ଝିଅଟିଏ ବାହା ହେବା କଥା ? ବିବାହ ବୟସ ପାଇଁ ଆଇନ୍‌ ପରିବର୍ତ୍ତନର ଆବଶ୍ୟକତା ରହିଛି କି ? ଏହାକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ । ଆମ ଦେଶରେ ୧୮ ବର୍ଷ ପରେ ଝିଅ ଓ ୨୧ ବର୍ଷ ପରେ ପୁଅଙ୍କୁ ବିବାହ ପାଇଁ ଅନୁମତି ମିଳି ଥାଏ । ତେବେ କମ୍ ବୟସରେ ମହିଳାମାନେ ମା’ ହେଲେ ଅପପୁଷ୍ଟି ଓ ରକ୍ତହୀନତା ସମସ୍ୟାକୁ ସାମ୍ନା କରୁଛନ୍ତି । ଏହାକୁ ଏଡାଇବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । କମ୍ ବୟରେ ମାତୃତ୍ୱ ଯୋଗୁଁ ମାତୃ ମୃତ୍ୟୁହାର ମଧ୍ୟ ହ୍ରାସ କରି ହେଉ ନାହିଁ ।

ଏହି ପ୍ରସଙ୍ଗରେ ଅଧିକ ଅନୁଧ୍ୟାନ ଓ ବିଚାରବିମର୍ଶ କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି । ଯାହାର ନେତୃତ୍ୱ ନେଉଛନ୍ତି ସମାଜସେବୀ ଜୟା ଜେଟ୍‌ଲୀ । ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏନେଇ ଘୋଷଣା କରିଥିଲେ । ବିକାଶଶୀଳ ଦେଶରେ ଝିଅମାନଙ୍କ ବିବାହ ବୟସକୁ ବୃଦ୍ଧି କରିବା ଆବଶ୍ୟକ ବୋଲି ସୀତାରମଣ କହିଥିଲେ ।

ଶେଷ ଥର ପାଇଁ ୧୯୭୮ ମସିହାରେ ଆଇନ୍ ପରିବର୍ତ୍ତନ କରି ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ୧୮ ବର୍ଷ ଧାର୍ଯ୍ୟ କରାଯାଇଥିଲା । ଝିଅମାନେ କମ୍ ବୟସରେ ବିବାହ କରୁଥିବାରୁ ସେମାନଙ୍କର ଶିକ୍ଷା ଅଧିକାର ବା ସୁଯୋଗ ହାତଛଡା ହେଉଛି ବୋଲି କୁହାଯାଇଥିଲା । ୨୦୧୧ ଜନଗଣନା ରେକର୍ଡ ଅନୁସାରେ ଭାରତରେ ୫୬ ପ୍ରତିଶତ ଝିଅ ୧୮ରୁ ୨୧ ବର୍ଷ ଭିତରେ ବିବାହ କରୁଛନ୍ତି । ଭାତର ସମେତ ବିଶ୍ୱର ୧୪୩ଟି ଦେଶରେ ଝିଅଙ୍କ ବିବାହ ବୟସ ୧୮ ରହିଛି ।

ତେବେ ନାଇଜେରିଆ, ଇଣ୍ଡୋନେସିଆ ଓ ମାଲେସିଆ ଭଳି ୨୦ ଦେଶରେ ସର୍ବନିମ୍ନ ବୟସ ରହିଛି ୨୧ । ଧିରେ ଧିରେ ଦେଶରୁ ନାବାଳିକା ବିବାହ ହାର କମିବାରେ ଲାଗିଛି । ତେବେ ୧୫ରୁ ୧୯ ବୟସ ବର୍ଗରେ ବିବାହ କରୁଥିବା ଝିଅମାନେ ମାତୃତ୍ୱ ଲାଭ କରିବା ପରେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

 

Leave a Reply