ସକ୍ରିୟ ମାଫିଆ, ନିଷ୍କ୍ରିୟ ପୋଲିସ : ବେଧଡକ ଲୁଟୁଛନ୍ତି ମୋରମ ଓ ମାଙ୍କଡା ପଥର
1 min read
ନନ୍ଦିଘୋଷ ବ୍ୟୁରୋ : ଚାଲିଛି ବେଧଡକ ଖଣି ଲୁଟ । ଖଣି ମାଫିଆଙ୍କ ଭୂସ୍ଵର୍ଗ ପାଲଟିଛି ପୁରୀର ପିପିଲି-ଡେଲାଙ୍ଗ ଅଞ୍ଚଳ । ବେଫିକର ଲୁଟୁଛନ୍ତି ମୋରମ ଓ ମାଙ୍କଡା ପଥର । ଜଙ୍ଗଲ ଜମି କି ଗୋଚର ବା ଦେବୋତ୍ତର ସମ୍ପତ୍ତି କିଛି ବି ଛାଡୁନାହାନ୍ତି ମାଫିଆ । ପ୍ରତିଦିନ ରାତିରେ ଲୁଟୁଛନ୍ତି ଶହ ଶହ ଟ୍ରିପ ଲଘୁ ଖଣିଜ ସମ୍ପଦ । କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର । ନିଦାବିଷ୍ଣୁ ସାଜିଛି ପ୍ରଶାସନ । ପିପିଲି ତହସିଲର ନିଜିଗଡକୁରଖି ଓ ବାହିଲିପଡାରୁ ଖଣି ଲୁଟ ହେଉଥିବା ବେଳେ ଡେଲାଙ୍ଗ ତହସିଲର ରେଙ୍ଗଳ, ଯମୁନା, ଝାଡପଡ଼ା, କୁଆପଦା ଓ ଗୋଡ଼ିପୁଟ, ମାଟିଆପଡା, ଆରାଗଡ ଓ ହରିପୁର ଆଦି ଅଞ୍ଚଳରୁ ବେଆଇନ ଭାବେ ଖଣି ଲୁଟ ଚାଲିଛି । ଜେସିବି ଟ୍ରକ, ଟ୍ରାକ୍ଟର ଓ ହାଇୱା ସାହାଯ୍ୟରେ ମନଇଚ୍ଛା ଖଣି ମାଫିଆ ଲୁଟୁଥିବା ଅଭିଯୋଗ କରି ସେମାନଙ୍କ ବିରୋଧରେ କଡା କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଜନସାଧାରଣ ।
ବେଆଇନ ଭାବେ ଖଣି ଖନନ କାରଣରୁ ସୃଷ୍ଟି ହେଉଥିବା ଗଭୀର ପୋଖରୀ ଲୋକଙ୍କ ପାଇଁ କାଳ ସାଜୁଛି । ଗାଈ ଗୋରୁ ଛେଳି ମେଣ୍ଢା ପୋଖରୀରେ ପଡି ସେମାନଙ୍କ ଜୀବନ ଯାଉଛି । ତେଣୁ ଖଣି ଚୋରି ରୋକିବାକୁ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବି ହେଉଛି । ସେପଟେ ପ୍ରଶାସନ ପକ୍ଷରୁ ଅନେକ ଥର ଚଢାଉ କରାଯାଇ ଜରିମାନା ଆଦାୟ ସହ ମାମଲା ରୁଜୁ ହୋଇଥିଲେ ମଧ୍ୟ କୌଣସି ଫରକ ପଡୁନାହିଁ । ଶୀଘ୍ର ମାଫିଆଙ୍କ ବିରୋଧରେ କଡା କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।