କଲ୍ୟାଣଙ୍କ ପ୍ରତିକ୍ରିୟା: ମିମିକ୍ରି ଏକ କଳା, ଉପ-ରାଷ୍ଟ୍ରପତିଙ୍କ ଅପମାନ ଉଦ୍ଦେଶ୍ୟ ନଥିଲା

1 min read

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଅପମାନିତ କରାଯିବା ପ୍ରସଙ୍ଗରେ ରାଜନୀତି ତୀବ୍ର ହେବାରେ ଲାଗିଛି। ଏହାପରେ ମିମିକ୍ରିକୁ ନେଇ ମୁହଁ ଖୋଲିଛନ୍ତି ଟିଏମସି ନେତା କଲ୍ୟାଣ ବାନାର୍ଜୀ । ସେ କହିଛନ୍ତି ଯେ, ଉପରାଷ୍ଟ୍ରପତିଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି। ମିମିକ୍ରି କରିବା ଏକ କଳା । ତାଙ୍କୁ ଅପମାନିତ କରିବା ମୋର ଉଦ୍ଦେଶ୍ୟ ଜମାରୁ ନଥିଲା । ତେବେ କ୍ଷମା ମାଗିବାକୁ ସେ ରୋକଠୋକ୍ ମନା କରିଦେଇଛନ୍ତି।

 ଜାଣନ୍ତୁ କ’ଣ ଥିଲା ପୂରା ଘଟଣା-

ମଙ୍ଗଳବାର ଦିନ ସଂସଦର ସିଡି ନିକଟରେ ବିରୋଧୀ ଦଳ ସାଂସଦଙ୍କ ନିଲମ୍ବନକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ଏହି ଘଟଣା ଦେଖିବାକୁ ମିଳିଥିଲା । ତୃଣମୂଳ କଂଗ୍ରେସ ନେତା କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ନକଲ କରିଥିଲେ । ମିମିକ୍ରି ସମୟର ଦୃଶ୍ୟକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ  ଭିଡ଼ିଓରେ କଏଦ କରିଥିଲେ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଫୋନ୍ କରିବା ସହ ଏଭଳି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମୁଁ ମଧ୍ୟ ଗତ ୨୦ ବର୍ଷ ଧରି ଏହି ପ୍ରକାର ଅପମାନ ଭୋଗୁଛି। ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଭାରତରେ ଉପରାଷ୍ଟ୍ରପତିଙ୍କ ପରି ସାମ୍ବିଧାନିକ ପଦବୀ ସହ ସଂସଦରେ ଏଭଳି ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଷ୍ଟ୍ରପତି ପ୍ରକାଶ କରିଛନ୍ତି।

ଭିଡ଼ିଓ ଭାଇରାଲ୍ ପରେ ଅସନ୍ତୋଷ ପ୍ରକାଶ କଲେ ଉପରାଷ୍ଟ୍ରପତି

ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାଜ୍ୟସଭା ସଭାପତି ଧନଖଡ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ‘ଜଣେ ସାଂସଦ ନକଲ କରୁଛନ୍ତି ଓ ଆଉ ଜଣେ ବଡ଼ ନେତା ଛିଡ଼ା ହୋଇ ଭିଡିଓ ସୁଟ୍ କରୁଛନ୍ତି । ଏହା ଲଜ୍ୟାଜନକ, ଅଗ୍ରହଣୀୟ ଓ ସଂସଦର ଅପମାନ ।