ଭିନ୍ନକ୍ଷମଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ ସରପଞ୍ଚ
1 min read
ବାଲେଶ୍ୱର: ଭିନ୍ନକ୍ଷ୍ୟମଙ୍କୁ ଭତ୍ତା କରାଇ ଦେବାକୁ ନେଲେ ଟିପ ଚିହ୍ନ । ଆଉ ସେହି ବାହାନାରେ ଭିନ୍ନକ୍ଷ୍ୟମଙ୍କ ନାମରେ ଋଣକରି ଲୁଟ କରିନେଲେ ଲକ୍ଷ ଲକ୍ଷ ଟଙ୍କା । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଏକାଧିକ ଭିନ୍ନକ୍ଷ୍ୟମଙ୍କ ସହ ଏଭଳି ଘଟଣା ଘଟିଥିବା ଅଭିଯୋଗ ଆସିଛି। ବ୍ୟାଙ୍କ ତରଫରୁ ୧୪ ବର୍ଷ ପରେ ନୋଟିସ ଲାଗିବାରୁ ଭିନ୍ନକ୍ଷ୍ୟମମାନେ ଚିନ୍ତାରେ ପଡ଼ିଯାଇଛନ୍ତି।
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଝରଣାଘାଟୀ ଗାଁର ଇନ୍ଦୁମଣୀ ସିଂ ହେଉଛନ୍ତି ଦିବ୍ୟାଙ୍ଗ । ଦିନରାତି ବିଛଣାରେ ପଡ଼ି ପଡ଼ି ତାଙ୍କର ଦିନ କଟିଯାଏ । ହେଲେ ତାଙ୍କ ନାଁରେ ନଭେମ୍ବର ୧୧ରେ ଗ୍ରାମ୍ୟ ବ୍ୟାଙ୍କରୁ ନୋଟିସ୍ ଆସିଛି । ନୋଟିସ୍ ଅନୁସାରେ ଇନ୍ଦୁମଣୀ ୧୬ ହଜାର ୭୭୨ ଟଙ୍କା ଋଣ ନେଇଛନ୍ତି। ଏଥିରେ ୨୦୧୫ ମସିହା ମାର୍ଚ୍ଚ ମାସ ସୁଦ୍ଧା ସୁଧ ବାବଦକୁ ୧୩ ହଜାର ୩୨୩ ଟଙ୍କା ହିସାବ କରାଯାଇଛି। କେବଳ ସେ ନୁହଁନ୍ତି ସୁକ ସିଂ ନାମକ ଆଉଜଣେ ଦିବ୍ୟାଙ୍ଗଙ୍କର ମଧ୍ୟ ସମାନ ସ୍ଥିତି। ସୁକ ସିଂଙ୍କ ଆଖି ଖରାପ ଥିବାରୁ ସେ ମଧ୍ୟ ଦିବ୍ୟାଙ୍ଗ ତାଲିକା ଭୁକ୍ତ ହୋଇଛନ୍ତି। ତାଙ୍କ ନାମରେ ମଧ୍ୟ ମୂଳ ୯ ହଜାର ୨୯୮ ଟଙ୍କା ଓ ସୁଧ ୬ ହଜାର ୮୮୦ ଟଙ୍କା ବାକି ଥିବା ବ୍ୟାଙ୍କ୍ ନୋଟିସ୍ରେ ଦର୍ଶା ଯାଇଛି। ସୁକଙ୍କ ନାମରେ ଆବାସ ଯୋଜନାରେ ଟଙ୍କା ଆସିଥିବାରୁ ଏହି ଟଙ୍କା ନଦେବା ଧମକ ଦେଇ ତାଙ୍କ ଠାରୁ ୯ ହଜାର ୨୯୮ ଟଙ୍କା ଆଦାୟ କରାଯାଇଛି। ଋଣ ନେଇ ନଥିଲେ ମଧ୍ୟ ସୁକ ଏହି ଟଙ୍କା ସୁଝିବାକୁ ବାଧ୍ୟ ହୋଇଛନ୍ତି।
ସେହିପରି ଚାପଲସାହିର ସୀତାମଣୀ କିସ୍କୁ ମଧ୍ୟ ଜଣେ ଦିବ୍ୟାଙ୍ଗ। ତାଙ୍କ ନାମରେ ମଧ୍ୟ ୩୪ ହଜାର ୭୯୧ ଟଙ୍କାର ଋଣ ବାକି ଥିବା ବ୍ୟାଙ୍କ ନୋଟିସ୍ରୁ ଜଣାପଡ଼ିଛି। କେବଳ ଏହି ୩ ଜଣ ଭିନ୍ନକ୍ଷ୍ୟମ ନୁହଁନ୍ତି । ନୀଳଗିରି ବ୍ଲକ୍ ଝରଣାଘାଟୀ, ଚାପଲସାହି, ରିସିଆ ପ୍ରଭୃତି ୫ଟି ପଞ୍ଚାୟତର ପ୍ରାୟ ସମସ୍ତ ଦିବ୍ୟାଙ୍ଗଙ୍କ ନାମରେ ୧୦ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ କରାଯାଇଥିବା ବ୍ୟାଙ୍କ୍ ନୋଟିସ୍ରୁ ଜଣାପଡ଼ିଛି।
ଏ ନେଇ ଅଭିଯୋଗ ମିଳିବାପରେ ଆମ କ୍ୟାମେରା ଟିମ୍ ସେହିସବୁ ଅଞ୍ଚଳ ଯାଇ ତଥ୍ୟ ସଂଗ୍ରହ କରିଥିଲା । ମିଳିଥିବା ଅଭିଯୋଗରୁ ଜଣାପଡ଼ିଛି ଯେ, ଦିବ୍ୟାଙ୍ଗଙ୍କୁ ଭତ୍ତା କରାଇଦେବା କହି ଗତ ୨୦୦୭-୦୮ ମସିହାରେ ତତ୍କାଳୀନ ସରପଞ୍ଚ ଅନ୍ତର୍ଜ୍ୟାମୀ ବୁଗୁଡ଼ାଇ ଓରଫ ବାବୁଲି ବୁଗୁଡ଼ାଇ ଟିପ ଚିହ୍ନ ଓ କାଗଜପତ୍ର ସଂଗ୍ରହ କରିଥିଲେ। ସେହି ସୁଯୋଗରେ ଦିବ୍ୟାଙ୍ଗଙ୍କୁ ଭତ୍ତା ମିଳିଛି ସତ। ହେଲେ ତାଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ଋଣ ଉଠାଯାଇଛି। ସମ୍ପୃକ୍ତ ଗ୍ରାମ୍ୟ ବ୍ୟାଙ୍କର ଶାଖାରେ ଏସମ୍ପର୍କରେ ତଥ୍ୟ ନେବାରୁ ଦିବ୍ୟାଙ୍ଗଙ୍କ ନାମରେ JLG(Joint Libility Group) ଓ SC-ST Devlopment Scheme ଭଳି ଏକାଧିକ ଯୋଜନାରେ ଦିବ୍ୟାଙ୍ଗଙ୍କୁ ଟାର୍ଗେଟ୍ କରାଯାଇଛି।
ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଭିନ୍ନକ୍ଷମ ମାନେ ଜିଲ୍ଲାପାଳଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି । ବ୍ୟାଙ୍କ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ, ୧୦ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।