ବଢୁଛି ମିଲେଟ୍ସ ପରିସର, ଏଣିକି ଯବାନ ଖାଇବେ ମାଣ୍ଡିଆ, ବାଜରା ଓ ରାଗି

1 min read

ଭୁବନେଶ୍ୱର: ବଢୁଛି ମିଲେଟ୍ସ ମେନୁ ପରିସର । ଏଣିକି ଯବାନଙ୍କୁ ପରଷାଯିବ ମିଲେଟ୍ସ । ମାଣ୍ଡିଆ, ବାଜରା ସ୍ୱାସ୍ଥ୍ୟ ପାଇଁ ସ୍ବାସ୍ଥ୍ୟକର ହୋଇଥିବାରୁ ଏହା ଯବାନଙ୍କୁ ପରଷାଯିବ । ଏହା ଉଚ୍ଚ ପ୍ରୋଟିନଯୁକ୍ତ, ଗ୍ଲୁଟେନ-ମୁକ୍ତ, ଫାଇବର ଆହାରରେ ସମୃଦ୍ଧ । ଏଥିରେ କ୍ୟାଲସିୟମ, ଆଇରନ, ଫସଫରସ ଆଦି ଜରୁରୀ ସୂକ୍ଷ୍ମ ପୋଷକ ତତ୍ତ୍ୱ ବା ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ରହିଛି  । ଯାହାକି ଯବାନମାନଙ୍କ ପୋଷଣ ସମ୍ବନ୍ଧୀୟ ପ୍ରୋଫାଇଲକୁ ମଜବୁତ କରିବ । ସେଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନେଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଯବାନମାନଙ୍କ ଖାଦ୍ୟରେ ୩୦ ପ୍ରତିଶତ ରହିବ ମିଲେଟ ମେନୁ । ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ଏବଂ ଏନଡିଆରଏଫ୍ ଯବାନମାନଙ୍କୁ ଏଥିରେ ସାମିଲ କରାଯିବ । ଏଥିପ୍ରତି ସବୁ ବାହିନୀଗୁଡ଼ିକ ମଧ୍ୟ ଅଭୂତପୂର୍ବ ଆଗ୍ରହ ପ୍ରକାଶ କରିଛନ୍ତି । ସ୍ୱତନ୍ତ୍ର କାଉଣ୍ଟର/କର୍ଣ୍ଣର କରାଯାଇ କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାର, କ୍ୟାମ୍ପସରେ ଥିବା ଗ୍ରୋସରୀ ଷ୍ଟୋର ଏବଂ ରାସନ ଷ୍ଟୋରରେ ମିଲେଟ୍ସ ଦିଆଯିବ । ଏଥିରେ ସଫଳ ହେଲେ ଆଗକୁ ମାଣ୍ଡିଆ ଖାଦ୍ୟ ସାମରିକ ବାହିନୀରେ ସାମିଲ କରିବାକୁ ଯୋଜନା ରହିଛି ।

କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳରେ ୧୩୨ଟି ବାଟାଲିୟନର ପ୍ରାୟ ଦେଢ ଲକ୍ଷ ଯବାନ ଅଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ବତନ୍ତ୍ର ଏନଡିଆରଏଫରେ ୧୬ଟି ବାଟାଲିୟନର ପ୍ରାୟ ୨୦ ହଜାର ଯବାନ ଅଛନ୍ତି । ଏମାନଙ୍କୁ ମାଣ୍ଡିଆ ଖାଦ୍ୟ ପରିବେଷଣ ନିଷ୍ପତ୍ତିକୁ ସବୁଠି ସ୍ବାଗତ କରାଯାଇଛି । ମାଣ୍ଡିଆ ଚାଷ ବୃଦ୍ଧି ସହିତ ଏହାର ମୂଲ୍ୟଯୁକ୍ତ ବ୍ୟବହାରକୁ ଓଡ଼ିଶା ମିଲେଟ ମିଶନ ଜରିଆରେ ପ୍ରୋତ୍ସାହନ ଦିଆଯାଉଛି । ଓଡ଼ିଶା ମିଲେଟ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହୋଇଥିବା ବେଳେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମିଲେଟରୁ ବିଭିନ୍ନ ରକମର ଖାଦ୍ୟ ପ୍ରସ୍ତୁତ କରି ବିଶ୍ବ ଦରବାରେ ପହଞ୍ଚିଲେଣି । ଏଣିକି ଓଡ଼ିଶା ମା’ମାନଙ୍କ ହାତ ରନ୍ଧା ମାଣ୍ଡିଆ ଖାଦ୍ୟ ଯବାନଙ୍କୁ ପରଷିବାର ସୁଯୋଗ ମିଳିବ ।

ମିଲେଟ୍ସ ବ୍ୟବହାର କରିବା ଲାଗି କେନ୍ଦ୍ରୀୟ ବାହିନୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଶେଷଜ୍ଞ ଏଜେନ୍ସିମାନଙ୍କର ସହାୟତା ନିଆଯିବ । ଏହାଛଡ଼ା ‘ନୋ ୟୋର ମିଲେଟ୍ସ’ ବିଷୟବସ୍ତୁ ଉପରେ କର୍ମଶାଳା, ସମ୍ମିଳନୀ, ସେମିନାର, ପ୍ରଦର୍ଶନୀ, ୱେବିନାର ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।