ଲୋକସେବା ଭବନ ପରିସରରେ ଖୋଲିବ ‘ମିଲେଟ୍ ଶକ୍ତି କାଫେ’

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ଲୋକସେବା ଭବନ ପରିସରରେ ଖୋଲିବ ‘ମିଲେଟ୍ ଶକ୍ତି କାଫେ’ । ଅକ୍ଷୟ ତୃତୀୟାର ଅବସରରେ ଖୋଲିବ ଏହି ମିଲେଟ କାଫେ । ଭବନକୁ ଆସୁଥିବା କର୍ମଚାରୀ ଏବଂ ପରିଦର୍ଶକଙ୍କ ମଧ୍ୟରେ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଇଛି ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ଅଧିକରୁ ଅଧିକ ବ୍ୟାପକ କରିବା ପାଇଁ ଓଡ଼ିଶା ମିଲେଟ୍ସ ମିଶନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼, କେନ୍ଦୁଝର, ପୁରୀ ଗୋଲଡେନ ବିଚ୍ ଏବଂ କଟକ ବାରବାଟୀ ପ୍ୟାଲେସଠାରେ ମିଲେଟ୍ ଶକ୍ତି କାଫେ ଖୋଲାଯାଇଛି । ଏହାର ଚାହିଦାକୁ ଦୃଷ୍ଟିରେ ରଖି ଏବେ ଭୁବନେଶ୍ୱରର ଲୋକସେବା ଭବନ ପରିସରରେ ଆଉ ଏକ ମିଲେଟ୍ ଶକ୍ତି କାଫେ ସ୍ଥାନ ପାଇବ । ଯେଉଁଠାରେ ପୁଷ୍ଟିଶସ୍ୟ ଭିତ୍ତିକ ଖାଦ୍ୟ ଉପଲବ୍ଧ ହେବ । ପୁଷ୍ଟିଶସ୍ୟର ବ୍ୟାପକ ପ୍ରଚାର ଏବଂ ଜନ ସଚେତନତା ଦିଗରେ ବିଶେଷ ଗୁରୁତ୍ବ ଦିଆଯିବା ସହ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ଏଥିରୁ ବେଶ୍ ଉପକୃତ ହୋଇପାରିବେ ।