ମିଶନ୍ ଶକ୍ତି ମହିଳାଙ୍କ ପାଇଁ ଖୋଲିଲା ମିଲେଟ କାଫେ

ଭୁବନେଶ୍ୱର: ମହାନଗର ନିଗମ ୩୭ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆପଲ୍ଲୀ ବେହେରା ସାହିର ସ୍ୱୟଂ ଶ୍ରଦ୍ଧା ମହିଳା ମହାସଂଘ ଏକ ଅଗ୍ରଣୀ ମହିଳା ଏସ୍‌ଏଚ୍‌ଜି ମହାସଂଘ । ସେମାନେ ପ୍ରଥମେ ନିଜ ଉଦ୍ୟମରେ ଘରୋଇ ଭାବେ ଅଳ୍ପ କିଛି କିଛି ପିଠା ଓ ଅନ୍ୟାନ୍ୟ ହାତ ତିଆରି ସାମଗ୍ରୀ ପ୍ରସ୍ତୁତ କରି ବିକ୍ରିବଟା କରୁଥିଲେ । ମିଲେଟ୍‌ର ଚାହିଦାକୁ
ଦେଖି ସେମାନେ ଦୁଇବର୍ଷ ହେବ ବିଭିନ୍ନ ଛୋଟ ଛୋଟ କାର୍ଯ୍ୟକ୍ରମ, ଉତ୍ସବ ଆଦିରେ ମିଲେଟ୍‌ରୁ ପ୍ରସ୍ତୁତ ପିଠା, ଲଡ଼ୁ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଦେଇ ଜୀବିକା ଅର୍ଜନ କରୁଥିଲେ । ମିଲେଟ୍‌ ସାମଗ୍ରୀ ପ୍ରସ୍ତୁତି ନିମନ୍ତେ ମହାସଂଘର ସଦସ୍ୟାମାନେ ଭୁବନେଶ୍ୱରସ୍ଥିତ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ପ୍ରତିଷ୍ଠାନରେ ତାଲିମ ନେଇଥିଲେ ଏବଂ ସେମାନଙ୍କ ଏହି ସବୁ ସାମଗ୍ରୀ ପ୍ରସ୍ତୁତିରେ ଦକ୍ଷତା ଓ ଅଭିଜ୍ଞତା ଥିଲା । କେବଳ ଏକ ସୁଯୋଗର ଅପେକ୍ଷା ଥିଲା । ସେ ବଡ଼ ସୁଯୋଗ ସେମାନଙ୍କ ପାଖକୁ ଆସିଲା ଯେତେବେଳେ ହକି ବିଶ୍ୱକପ୍‌ ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ଭିତରେ ଗୋଟିଏ ମିଲେଟ୍‌ ଶକ୍ତି କାଫେ ଖୋଲିବା ନିମନ୍ତେ ଓଡ଼ିଶା ମିଲେଟ୍‌ ମିଶନ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ପଦକ୍ଷେପ ନିଆଗଲା ।

ଏହି କାଫେରେ ବିକ୍ରୟ ନିମନ୍ତେ ସେମାନେ ଆବେଦନ କଲେ ଏବଂ ମିଲେଟ୍‌ କାଫେ ପରିଚାଳନା ନିମନ୍ତେ କାର୍ଯ୍ୟାଦେଶ ପାଇଲେ । ଜାନୁଆରୀ ୧୨ ତାରିଖ ଦିନ ଏହି କାଫେ କଳିଙ୍ଗ ଷ୍ଟାଡିୟମ୍‌ ଭିତରେ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା । ସେଦିନ ଏହି ମହାସଂଘର ସଦସ୍ୟାମାନଙ୍କ ଖୁସି କହିଲେ ନସରେ । ହକି ବିଶ୍ୱକପ୍‌ ସମୟରେ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ଙ୍କ ସମେତ ପୃଥିବୀର ବିଭିନ୍ନ ଦେଶରୁ ଆସିଥିବା ଅତିଥିମାନଙ୍କୁ ସେମାନଙ୍କ ଦ୍ୱାରା ମିଲେଟ୍‌ରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯୋଗାଇଦେବା ସେମାନଙ୍କ ପାଇଁ ଗୋଟେ ବହୁତ ବଡ଼ ସୁଯୋଗ ଆଣିଦେଲା । ମହାସଂଘର ମା’ମାନେ ଦିନରାତି ଲାଗି ପଡ଼ିଲେ । ମ୍ୟାଚ ଥିବା ଦିନମାନଙ୍କରେ ସେମାନେ ୨୫ରୁ ୩୦ ହଜାର ଟଙ୍କ ବ୍ୟବସାୟ କରିଥାନ୍ତି ଏବଂ ମ୍ୟାଚ୍‌ ନଥିବା ଦିନଗୁଡ଼ିକରେ ୧୦ରୁ ୧୫ ହଜାର ଟଙ୍କାର ବିକି୍ରବଟା ହୋଇଥାଏ ।

ଏହି ସମୟ ମଧ୍ୟରେ କମିଶନରେଟ୍‌ ପୋଲିସକୁ ସେମାନେ ଗୋଟିଏ କାର୍ଯ୍ୟକ୍ରମ ନିମନ୍ତେ ପ୍ରାୟ ୫୦୦ ପ୍ୟାକେଟ୍‌ ( ୬ ପ୍ରକାର ଖାଦ୍ୟ ସାମଗ୍ରୀର ଏକ ଜଳଖିଆ ପ୍ୟାକେଟ) ଯୋଗାଇଛନ୍ତି । ଏଥିରେ ସେମାନଙ୍କର ପ୍ରାୟ ୫୦ ହଜାର ଟଙ୍କାର ବ୍ୟବସାୟ ହୋଇଥିଲା । ପୁଣି ଭୁବନେଶ୍ୱର ମହାନଗର ନିଗମ କର୍ପୋରେଟରମାନଙ୍କ ଏକ ଉତ୍ସବ ନିମନ୍ତେ ସେମାନେ ୬୦୦ ପ୍ୟାକେଟ ଯୋଗାଇ ବେଶ ଲାଭବାନ ହୋଇଛନ୍ତି । ଖେଳ ଦେଖିବାକୁ ଆସିଥିବା ରାଜ୍ୟ ବାହାରର ବହୁ ଲୋକ ସେମାନଙ୍କ ସାମଗ୍ରୀ କିଣି ନେଇଛନ୍ତି । ମାତ୍ର ୧୫ ଦିନ ମଧ୍ୟରେ ସେମାନେ ୪ ଲକ୍ଷ ଟଙ୍କାର ବ୍ୟବସାୟ କରିଛନ୍ତି । ଆନୁଷଙ୍ଗିକ ଯନ୍ତପାତି, କଞ୍ଚାମାଲ ଆଦି କିଣିବା ପାଇଁ ମିଶନ ଶକ୍ତି ବିଭାଗ ତରଫରୁ ବ୍ୟାଙ୍କ୍‌ ଲିଙ୍କେଜ୍‌ ଜରିଆରେ ସେମାନଙ୍କୁ ଅର୍ଥ ରାଶି ଏବଂ ଅନ୍ୟାନ୍ୟ ସମସ୍ତ ସହାୟତା ଯୋଗାଇ ଦିଆଯାଇଛି । ବିଭାଗ ତରଫରୁ ମଧ୍ୟ ସଦସ୍ୟାମାନଙ୍କୁ ପ୍ୟାକେଜିଂ, ସଂରକ୍ଷଣ, ସାମଗ୍ରୀ ପ୍ରସ୍ତୁତି ଆଦି ସଂପର୍କରେ ଉଚ୍ଚ ତାଲିମ ପ୍ରଦାନ କରାଯାଇଛି ।

ପିଠା ଏବଂ ଶୁଖିଲା ଖାଦ୍ୟ ବ୍ୟତୀତ ମିଲେଟ୍‌ର ବିଭିନ୍ନ ବେକେରୀ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରି ସେମାନେ ବିଭିନ୍ନ ସ୍ଥାନକୁ ଯୋଗାଇ ଦେଇଛନ୍ତି । ଆଗାମୀ ଦିନରେ ଅନ୍‌ଲାଇନ୍‌ରେ ସେମାନେ ନିଜର ବ୍ୟବସାୟକୁ ସଂପ୍ରସାରିତ କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ମହାସଂଘର ୧୮ ଜଣ ସଦସ୍ୟା କାମ କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନଶକ୍ତି ଏସ୍‌ଏଚ୍‌ଜିମାନଙ୍କ ନିମନ୍ତେ ବିନାସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ଘୋଷଣା କରିବା ପରେ ଏହି ମହାସଂଘର ସଦସ୍ୟାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଆଜି ରାଜ୍ୟରେ ମିଶନ ଶକ୍ତି ଅଧୀନରେ ଏହିଭଳି ଅନେକ ଏସ୍‌ଏଚ୍‌ଜି ସରକାରୀ ପ୍ରୋତ୍ସାହନରେ ଧୀରେ ଧୀରେ ଏସ୍‌ଏମ୍‌ଇ (କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀ)ରେ ପରିଣତ ହେଉଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀ ଭାବେ ଦେଖିବାର ସ୍ୱପ୍ନ ଧୀରେ ଧୀରେ ବାସ୍ତବରେ ରୂପାନ୍ତରିତ ହେବାରେ ଲାଗିଛି । ସ୍ୱୟଂ ଶ୍ରଦ୍ଧା ମହିଳା ମହାସଂଘ ତା’ର ଜ୍ୱଳନ୍ତ ଉଦାହରଣ ।