ଗହମ ଗହନ: ବାଟକୁ ଆସିଲେ ବ୍ୟବସାୟୀ ଓ ମିଲର୍ସ

ଭୁବନେଶ୍ବର: ଫିଟିଲା ଗହମ ଗାଏବର ଗହନ ରହସ୍ୟ । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ବାଟକୁ ଆସିଲେ ବ୍ୟବସାୟୀ ଓ ମିଲର୍ସ । ଅଟା ଦର କମ କରିବାକୁ ଉଭୟ ହେଲେ ରାଜି । ଆଜି ମିଲର୍ସ ସଂଘ ଓ ରାଜ୍ୟ ବ୍ୟବସାୟୀ ମହାସଂଘ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ନିଷ୍ପତ୍ତି । ନିଷ୍ପତ୍ତି ଅନୁଯାୟୀ ଓଡ଼ିଶାର ମିଲର୍ସ କମ ଦରରେ ଅଟା, ସୁଜି, ମଇଦା ନଯୋଗାନ୍ତି ତା’ହେଲେ ବ୍ୟବସାୟୀ ଆଉ ଓଡ଼ିଶା ମିଲର୍ସଙ୍କଠାରୁ ଗହମଜାତ ପଦାର୍ଥ କିଣିବେ ନାହିଁ ।

ବଜାରରେ ଗହମ ମିଳୁନି । ଖୋଲା ଅଟା ୪୦ ଟଙ୍କା । ସୁଜି, ମଇଦାକୁ ଛୁଇଁ ହେଉନି । ଏଫସିଆଇଠାରୁ ତଥ୍ୟ ଆଣି ନନ୍ଦିଘୋଷ ଟିଭିର ଖୋଳତାଡ ପରେ ସାମ୍ନାକୁ ଆସିଲା ଭିତିରି ସଲାସୁତରା । ଭଭୟ ରାଜ୍ୟ ବ୍ୟବସାୟୀ ମହାସଂଘ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକାର ଶିକାର ହେଉଛନ୍ତି ଖାଉଟି । ରାଜଧାନୀରେ ଉଭୟ ରାଜ୍ୟ ବ୍ୟବସାୟୀ ମହାସଂଘ ଓ ମିଲର୍ସ ସଂଘ ଆଲୋଚନା କରି ଦର କମ୍ କରିବାକୁ ରାଜି ହୋଇଛନ୍ତି । ରାଜ୍ୟ ବ୍ୟବସାୟୀ ମହାସଂଘ ସିଧା ସିଧା କହିଛି, ଯଦି ନିଷ୍ପତ୍ତି ଅନୁଯାୟୀ ଅଟା କମ ଦରରେ ଓଡ଼ିଶା ମିଲର୍ସ ନ ଯୋଗାନ୍ତି ତା’ହେଲେ ବ୍ୟବସାୟୀ ଆଉ ସେମାନଙ୍କଠୁ ଗହମଜାତ ଦ୍ରବ୍ୟ କିଣିବେ ନାହିଁ । ବାହାର ରାଜ୍ୟରୁ ଅଟା, ସୁଜି, ମଇଦା କିଣିବେ ପଛକେ, ଖାଉଟିଙ୍କୁ ଆଉ ମହଙ୍ଗା ବଜାରର ଶିକାର ହେବାକୁ ଦିଆଯିବନି ।

୨୧ ଟଙ୍କା ୫୦ ପଇସାରେ ଗହମ କିଣି ୪୦ ଟଙ୍କାରେ ବିକ୍ରି କରିବା ଘୋର ଅନ୍ୟାୟ । ଖୋଦ ଏହି କଥା ସ୍ବୀକାର କରିଛନ୍ତି ଜଣେ ମିଲର । ଏଫସିଆଇ ପ୍ରତି ସପ୍ତାହରେ ନିଲାମ ଧରିଥିବା ମିଲର ପିଛା ୨୦୦ ମେଟ୍ରିକ୍ ଟନ୍ ଗହମ ଯୋଗାଉଛି । ବଜାରରେ ଦର ସନ୍ତୁଳନ ରଖିବାକୁ ଏହା ଯଥେଷ୍ଟ । ଭାଗୁଡ଼ି, ଚଷୁ ଓ ପରିବହନ ଖର୍ଚ୍ଚ ମିଶାଇଲେ ଗହମ କିଲୋ ୨୩ ଟଙ୍କା ପଡୁଛି । ପେଶା ମଜୁରୀ ଓ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ମିଶାଇଲେ କିଲୋ ପ୍ରତି ୨୭.୫୦ ପଇସା ଖର୍ଚ୍ଚ ଆସୁଛି । ଦୋକାନ ଖର୍ଚ୍ଚ, କର୍ମଚାରୀଙ୍କ ଦରମା, ଲାଭ ପରିମାଣ ମିଶି ଖୋଲା ଅଟା କିଲୋ ୩୦ ଟଙ୍କାରେ ବିକ୍ରି କରି ହେବ । ଯଦି ପ୍ୟାକେଜିଂ କରାଯାଏ ତା’ହେଲେ କିଲୋ ୩୫ ଟଙ୍କା ରହିବ । ଖାଉଟିଙ୍କୁ ବାଧିଲା ଭଳି କିଛି କରିବା ଠିକ୍ ନୁହେଁ । କିଛି ଅସାଧୁ ମିଲରଙ୍କ ଯୋଗୁଁ ପୂରା ମିଲର୍ସ ସମାଜ ଖାଉଟିଙ୍କ ଅସନ୍ତୋଷ ଶିକାର ହେଉଛନ୍ତି । ବଡ଼ ଓ ଛୋଟ ମିଲର୍ସ ଏକାଠି ହୋଇ ଖାଉଟିଙ୍କ ସ୍ବାର୍ଥକୁ ଜଗିବା ଦରକାର ।