କାର୍ଯ୍ୟକ୍ଷମ ହୋଇପାରୁନି କ୍ଷୀର ଶୀତଳିକରଣ ଭଣ୍ଡାର, ୧୩ ବର୍ଷ ହେଲା ଦାଉ ସାଧୁଛି କ୍ଷତି
ବୌଦ୍ଧ: ବୌଦ୍ଧ ଜିଲ୍ଲା ରାଜ୍ୟର ପଛୁଆ ଜିଲ୍ଲା ଭାବେ ପରିଚିତ । ଜିଲ୍ଲାରେ ପ୍ରାୟ ୮୫ପ୍ରତିଶତ ଲୋକେ କୃଷି ଓ ପଶୁପାଳନ ଉପରେ ନିର୍ଭର କରନ୍ତି । ବିଶେଷ କରି ଜିଲ୍ଲାର ହରଭଙ୍ଗା, କଣ୍ଟାମାଳରେ ପଶୁପାଳନହିଁ ଲୋକଙ୍କର ଜିବିକା । ଓମଫେଡ୍ କମ୍ପାନୀକୁ କ୍ଷୀର ବିକ୍ରି କରି ରୋଜଗାର କ୍ଷମ ହୋଇ ପାରୁଥିଲେ ।
କିନ୍ତୁ ବର୍ତ୍ତମାନ ମନମୁଣ୍ଡାକୁ ଛାଡ଼ିଦେଲେ ଚାରିଛକରେ ଥିବା ଦୁଗ୍ଧ ଶୀତଳିକରଣ ଭଣ୍ଡାର ଗତ ୨୦୦୭ ମସିହାରୁ ବନ୍ଦ ରହିଛି । କ୍ଷୀର ବିକ୍ରି ନହେବା ଫଳରେ ଚାଷୀମାନେ କ୍ଷତି ସହୁଛନ୍ତି । ସେପଟେ ପଶୁପାଳନ କରୁଥିବା ଚାଷୀଙ୍କୁ ଗାଇ ଓ ମଇଁସି ମାନଙ୍କ ଖାଦ୍ୟ ପାଇଁ ଚାରା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଡାକ୍ତରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି ।
୧୯୯୫ ମସିହାରେ ପୁରୀ ମିଲ୍କ ୟୁନିୟନ ପକ୍ଷରୁ ଏକ ଶୀତଳିକରଣ ଭଣ୍ଡାର ଆରମ୍ଭ କରାଯାଇଥିଲା । ୧୩ ବର୍ଷ ହେଲା ବନ୍ଦ ହୋଇ ପଡିରହିଛି ଏହି ଶୀତଳ ଭଣ୍ଡାର। ଏନେଇ ଜିଲ୍ଲା ସିଡିଭିଓଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରା ଯାଇଛି । କରୋନା ପରେ ବନ୍ଦ ପଡ଼ିଥିବା ମିଲ୍କ କୋଅପରେଟିଭ ସୋସାଇଟି ପୁନଃ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ବୌଦ୍ଧ ଜିଲ୍ଲାପାଳ ।
ସରକାର ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅନେକ ବୈଷୟିକ ଉଦ୍ୟୋଗର ଯୋଜନା କରିଛନ୍ତି । ହେଲେ ପ୍ରୋତ୍ସାହନର ଅଭାବ ଯୋଗୁଁ ବୌଦ୍ଧ ଜିଲ୍ଲାରେ ଦୁଗ୍ଧ ଉତ୍ପାଦନରେ ପଛୁଆ । ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି ।
ବୌଦ୍ଧରୁ ସିମୁନ ନାୟକଙ୍କ ରିର୍ପୋଟ