୨ଟଙ୍କା ଲେଖାଏଁ କ୍ଷୀର ମୂଲ୍ୟ ବଢ଼ାଇଲେ ଅମୂଲ ଓ ମଦର ଡାଏରୀ

ଭୁବନେଶ୍ୱର ବ୍ୟୁରୋ: ସାଧାରଣ ଜନତାଙ୍କ ମୁଣ୍ଡରେ ଚଡ଼କ । ଗୋଟିଏ ପଟେ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ଆକାଶଛୁଆଁ ରହିଥିବା ବେଳେ ପୁଣି ବଢ଼ିଛି କ୍ଷୀରର ମୂଲ୍ୟ । ଦେଶର ସବୁଠୁ ବଡ଼ ଡାଏରୀ ବ୍ରାଣ୍ଡ ଅମୂଲ ଏବଂ ମଦର ଡାଏରୀ କ୍ଷୀର ଦାମ ୨ ଟଙ୍କା ପ୍ରତି ଲିଟର ବୃଦ୍ଧି କରିଛନ୍ତି । ଆସନ୍ତାକାଲି ଅର୍ଥାତ ୧୭ ତାରିଖରୁ ବର୍ଦ୍ଧିତ ମୂଲ୍ୟ ଲାଗୁ ହେବ । ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ (ଜିସିଏମଏମଏଫ) ଅମୂଲ ବ୍ରାଣ୍ଡ ମାଧ୍ୟମରେ କ୍ଷୀର ଏବଂ ଡାଏରୀ ପ୍ରଡକ୍ଟର ଉତ୍ପାଦନ କରି ବିକ୍ରୀ କରିଥାଏ ।

ଅମୂଲ ଗୁଜୁରାଟର ଅହମଦାବାଦ, ସୌରାଷ୍ଟ୍ର, ଦିଲ୍ଲୀ, ଏନସିଆର, ପଶ୍ଚିମବଙ୍ଗ, ମୁମ୍ବାଇ ସମେତ ସମସ୍ତ ବଜାରରେ କ୍ଷୀର ମୂଲ୍ୟ ବୃଦ୍ଧି କରିଛି । ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ମଧ୍ୟ ଅମୂଲ ଏବଂ ମଦର ଡାଏରୀ କ୍ଷୀର ମୂଲ୍ୟରେ ବୃଦ୍ଧି କରିଥିଲେ । ଅମୂଲର ସମସ୍ତ ମିଲ୍କ ପ୍ରଡକ୍ଟ ଅମୂଲ ଗୋଲ୍ଡ , ଅମୂଲ ଶକ୍ତି, ଅମୂଲ ତାଜା, ଅମୂଲ ଟି ସ୍ପେଶାଲ , ଅମୂଲ ସ୍ଲିମ ଆଣ୍ଡ ଟ୍ରିମପରେ ୨ ଟଙ୍କା ପ୍ରତି ଲିଟର ହିସାବରେ ବଢାଇଦିଆଯାଇଛି ।

ତେବେ ଅପରେସନ କଷ୍ଟ ଏବଂ କ୍ଷୀର ଉତ୍ପାଦନରେ ମୂଲ୍ୟ ବୃଦ୍ଧି କାରଣରୁ କ୍ଷୀର ଦାମ ବଢ଼ାଯାଇଛି ବୋଲି ଅମୂଲ କହିଛି । ଏବେ ୫୦୦ ମିଲି ଲିଟର ଅମୂଲ ଗୋଲ୍ଡର ମୂଲ୍ୟ ୩୧ ଟଙ୍କାରୁ ବୃଦ୍ଧି ପାଇଛି ଏବଂ ଅମୂଲ ଶକ୍ତିର ମୂଲ୍ୟ ୨୮ ଟଙ୍କା ବୃଦ୍ଧି ହୋଇଛି । ସେହିପରି ମଦର ଡାଏରୀର ଫୁଲ କ୍ରୀମ କ୍ଷୀରର ମୂଲ୍ୟ ୫୯ ଟଙ୍କା ପ୍ରତି ଲିଟର ବଢାଯାଇ ୬୧ ଟଙ୍କା କରାଯାଇଛି ।