ଆସନ୍ତାକାଲି ହେବ ମିହିର ଦାସଙ୍କ ଶେଷକୃତ୍ୟ, ଦିଆଯିବ ’ଗାର୍ଡ ଅଫ ଅନର’

କଟକ:  ମହାପ୍ରୟାଣରେ ଅଭିନେତା ମିହିର ଦାସ । ସମସ୍ତଙ୍କୁ କନ୍ଦାଇ, ଚାଲିଗଲେ ମିହିର । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମିହିର ଦାସ । ଏକାଧିକ ରୋଗରେ ପୀଡିତ ଥିଲେ ଓଡ଼ିଆ ସିନେମା ଜଗତର ଏହି ବେତାଜ୍ ବାଦଶାହା । ମିହିରି ଦାସଙ୍କ ବିୟୋଗରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

ତେବେ ମିହିର ଦାସଙ୍କ ଶେଷକୃତ୍ୟ ଆସନ୍ତାକାଲି ସମ୍ପନ୍ନ ହେବା ନେଇ ସୂଚନା ମିଳିଛି । ଓଡିଆ ଚଳଚ୍ଚିତ୍ର ଜଗତକୁ ମିହିର ଦାସଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ‘ଗାର୍ଡ ଅଫ୍ ଅନର୍’ ସହ ଶେଷକୃତ୍ୟ ସମ୍ପନ୍ନ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯିବ । ମିହିର ଦାସଙ୍କ ମରଶରୀର ସକାଳ ସାଢେ ୮ରେ କଟକ ବାସଭବନରୁ ବାହାରି ଏକ ଶୋଭାଯାତ୍ରାରେ ସତୀଚଉରା ଯିବ। ସେଠାରେ ’ଗାର୍ଡ ଅଫ ଅନର’ ସହ ଶେଷକୃତ୍ୟ ହେବ ବୋଲି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ସୂଚନା ଦେଇଛନ୍ତି ।

ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ୧୯୬୬ ମସିହା ଫେବ୍ରୁଆରି ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର ଦାସ । ପିଲାଟି ଦିନରୁ ଅଭିନୟ ଥିଲା ତାଙ୍କ ନିଶା ଓ ପେଶା । ସେ ପ୍ରାୟ ୧୦୦ଟି ଚଳଚ୍ଚିତ୍ରରେ ମୁଖ୍ୟ ଓ ସହ କଳାକାର ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ଲକ୍ଷ୍ମୀ ପ୍ରତିମା, ଟାର୍ଗେଟ୍, ଗୁଣ୍ଡା, ମାଇଁ ଲଭ ଷ୍ଟୋରୀ, ପହିଲି ରାଜା, ଚୋରି ଚୋରି ମନ ଚୋରି, ବାଜି, ଧଉଳି ଏକ୍ସପ୍ରେସ୍ ଅନ୍ୟତମ । ଚଳଚ୍ଚିତ ବ୍ୟତୀତ ମିହିର ଦାସ ଅନେକ ଟିଭି କାର୍ଯ୍ୟକ୍ରମରେ ନଜର ଆସିଛନ୍ତି । ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ମିହିର ଦାସ ।

Leave a Reply